ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ : ୯% ଟପିବ ଅଭିବୃଦ୍ଧି ହାର

0
657

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ। ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮ରୁ ୮.୫ ପ୍ରତିଶତ ରହିବ ବୋଲି କୁହାଯାଇଛି।

କୃଷି କ୍ଷେତ୍ର ୨୦୨୦-୨୧ରେ ୩.୬ ପ୍ରତିଶତ ବଢିଥିବା ବେଳେ ୨୦୨୧-୨୨ରେ ୩.୯ ପ୍ରତିଶତ ବଢିବା ଆଶା କରାଯାଉଛି।  କରୋନା ମାଡରେ ବିପର୍ଯ୍ୟସ୍ତ ସେବା କ୍ଷେତ୍ର ଗତବର୍ଷ ୮.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୮.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ସେହିପରି ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୧.୮ ପ୍ରତିଶତ ରହବ ବୋଲି ଆକଳନ କରାଯାଇଛି।  ଦେଶର ଷ୍ଟାଟ-ଅପ୍ କ୍ଷେତ୍ରରେ ଆଖି ଦୃଶିଆ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୬-୧୭ ବର୍ଷରେ ଷ୍ଟାଟ-ଅପ୍ ସଂଖ୍ୟା ମାତ୍ର ୭୩୩ ଥିବା ବେଳେ ୨୦୨୧-୨୨ରେ ଏହା ୧୪ ହଜାରକୁ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ଟିକସ ଆଦାୟ ପରିମାଣ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି।

ମହାମାରୀ ଯୋଗୁଁ ଆଗାମୀ ଦିନରେ ଯଦି ଅର୍ଥବ୍ୟବସ୍ଥା ଉପରେ କୌଣସି ନକାରାତ୍ମକ ପ୍ରଭାବ ନପଡ଼େ ତେବେ ଏହି ଅଭିବୃଦ୍ଧି ହାସଲ କରିବେ ବୋଲି ରିପୋର୍ଟରେ କୁହାଯାଇଛି। ଦେଶରେ ବ୍ୟାପକ କରୋନା ଟିକାକରଣ ଅଭିଯାନ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକ ସରକାରୀ ନିବେଶ ଅଭିବୃଦ୍ଧିର ବାହକ ହେବ। ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ୭.୩ ପ୍ରତିଶତ ହ୍ରାସ ଘଟିଛି ବୋଲି ରିପୋର୍ଟରେ କୁହାଯାଇଛି।

ସର୍ଭେରେ କୁହାଯାଇଛି ଯେ ସରକାରଙ୍କ ଆୟରେ ଦ୍ରୁତ ଗତିରେ ଉନ୍ନତି ହୋଇଛି। ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହ ବେଶ୍‌ ଭଲ ହୋଇଛି। ଏହା ବ୍ୟତୀତ ଟିକସ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ କିସ୍ତି ପାଇଁ ଅଗ୍ରୀମ ଟିକସ ସଂଗ୍ରହ ୫୩.୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୬୦ ପ୍ରତିଶତରୁ ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଇଛି।

Also Read  ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ଦର୍ଶନକୁ ବାରଣ : କେବେଠୁ ଜାଣନ୍ତୁ ?

ଏହା ବ୍ୟତୀତ ରିପୋର୍ଟରେ ଆହୁରି କୁହାଯାଇଛି ଯେ ରିଜର୍ଭ ବ୍ୟାଙ୍କରେ ପର୍ଯ୍ୟାପ୍ତ ପରିମାଣର ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି। ବର୍ତ୍ତମାନ, ଆରବିଆଇର ଟ୍ରେଜେରୀରେ ୧୩୫ ବିଲିୟନ ଡଲାର ଗଚ୍ଛିତ ଅଛି। ଏହି ରିଜର୍ଭ ଭାରତ ସରକାରଙ୍କ ୧୩ ମାସର ଆମଦାନୀ ଏବଂ ବୈଦେଶିକ ଋଣଠାରୁ ଢ଼େର ଅଧିକ।

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ପରେ ଲୋକସଭାକୁ ସ୍ଥଗିତ ରଖାଯାଇଛି। ଏହାପରେ ରାଜ୍ୟସଭାରେ ଅଧିବେଶନ ଆରମ୍ଭ ହେବ। ଆର୍ଥିକ ସମୀକ୍ଷାକୁ ଉପର ଗୃହରେ ମଧ୍ୟ ଉପସ୍ଥାପିତ କରାଯିବ। ରାଜ୍ୟସଭା ପରେ ୟୁନିଅନ୍‌ ବଜେଟ୍‌ ପୋର୍ଟାଲ ଏବଂ ଆପ୍‌ ଉପଲବ୍ଧ ହେବ। ଚଳିତ ବର୍ଷର ଆର୍ଥିକ ସମୀକ୍ଷା ଗୋଟିଏ ଭାଗରେ ହିଁ ରହିଛି। ଏହାପୂର୍ବରୁ, ଅର୍ଥନୈତିକ ସର୍ବେକ୍ଷଣର ଦୁଇଟି ଭଲ୍ୟୁମ୍ ରହୁଥିଲା। ଡିସେମ୍ବରରୁ CEA ପଦବୀ ଖାଲି ଥିବାରୁ ଏଥର ଏକକ ଭଲ୍ୟୁମ୍ ଅର୍ଥନୈତିକ ସମୀକ୍ଷା ପ୍ରସ୍ତୁତ ହୋଇଛି।