ଆଜିଠୁ ବିଧାନସଭା ଶୀତ ଅଧିବେଶନ : ଆସିପାରେ ଗୁରୁତ୍ୱପୂର୍ଣ୍ଣ ବିଲ

0
334
ଆଜିଠୁ ବିଧାନସଭା ଶୀତ ଅଧିବେଶନ
ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ବିଭିନ୍ନ ଦୃଷ୍ଟିକୋଣରୁ ଏ ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ଏଥର ବିଧାନସଭା ବସିବ । ପ୍ରଥମ ଦିନରେ ୨ଠ୨୧-୨୨ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ । ବିଧାନସଭା ଅଧିବେଶନ ଲାଗି ଉଭୟ ଶାସକ ଏବଂ ବିରୋଧୀ ରଣନୀତି ଚୂଡ଼ାନ୍ତ କରିଛନ୍ତି ।

ବିରୋଧୀ ବିଜେପି ଏବଂ କଂଗ୍ରେସ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବେ । ଏହାସହ ଆଇନଶୃଙ୍ଖଳା, ଚାଷୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏହାର ମୁକାବିଲା ଲାଗି ଶାସକ ଦଳ ମଧ୍ୟ ପ୍ରସ୍ତୁତ ହୋଇଛି । ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ଏବଂ ଦରଦାମ୍ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରିବ ଶାସକ ଦଳ । ଅନ୍ୟପକ୍ଷରେ ଚଳିତ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ ଆସିପାରେ । ତେବେ ଶ୍ରୀ ଲିଙ୍ଗରାଜ ଅଧ୍ୟାଦେଶ ଉପରେ ମୋହର ଲାଗିପାରେ ବୋଲି ଜଣାପଡ଼ିଛି ।

ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଦୈନିକ ୫ ଘଣ୍ଟା ଗୃହ ଚାଲିବ । ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ । ଅନ୍ୟ ଦିନରେ ପୂର୍ବାହ୍ନ ୧ଠଟା ୩ଠରୁ ଅପରାହ୍ନ ୧ଟା ୩ଠ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗୃହର ପ୍ରାରମ୍ଭିକ ଦିବସରେ ଦିବଙ୍ଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ । ତାଙ୍କର ସମ୍ମାନାର୍ଥେ ଗୃହ ସେହିଦିନ ପାଇଁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରହିବ । ଅପରାହ୍ନ ୫ଟାରେ ୨ଠ୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ । ଗୃହରେ ନିୟମିତ ଭାବେ ଉଭୟ ତାରକା ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନଗୁଡ଼ିକର ଉତ୍ତର ରଖାଯିବ ।

ସେହିପରି ବିରୋଧୀ ଦଳଗୁଡ଼ିକ ତରଫରୁ ଗୃହରେ ମୁଲତବୀ ପ୍ରସ୍ତାବ ଆଗତ କରାଯାଇପାରିବ । ସପ୍ତାହରେ ୪ ଦିନ ବିଜେପି ଓ ୨ ଦିନ କଂଗ୍ରେସକୁ ମୁଲତବୀ ପ୍ରସ୍ତାବ ଉପସ୍ଥାପନ ଲାଗି ସୁଯୋଗ ମିଳିବ । ମୁଲତବୀ ପ୍ରସ୍ତାବ ଉପରେ ୯ଠ ମିନିଟ୍ ଆଲୋଚନା ହେବ । ଏଥିରେ ବିରୋଧୀ ଦଳକୁ ୫୫ ମିନିଟ୍ ଏବଂ ଶାସକ ଦଳକୁ ୩୫ ମିନିଟ୍ ସମୟ ଦିଆଯିବ । ଶାସକ ଦଳ ପାଇଁ ରହିଥିବା ଅବଧି ମଧ୍ୟରେ ମନ୍ତ୍ରୀଙ୍କ ଉତ୍ତର ମଧ୍ୟ ସାମିଲ୍ ରହିବ । ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳରେ ହଟ୍ଟଗୋଳ ନ କରିବାକୁ ବାଚସ୍ପତି ଅପିଲ୍ କରିଛନ୍ତି । ଯଦି କେହି ଏହାର ଅବମାନନା କରିବେ ତାହେଲେ ଆଇନ ଅନୁସାରେ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଛନ୍ତି । ତେବେ ବିରୋଧୀ ଦଳର କଥାକୁ ବାଚସ୍ପତି ଗ୍ରହଣ ନ କଲେ ଗୃହରେ ପ୍ରତିବାଦ କରାଯିବ ବୋଲି ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି । ଓକାକ୍ ଭୁବନେଶ୍ୱର, ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ, ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ ଭିଡିଓ ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇ ସଭ୍ୟମାନେ ଗୃହର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଉଲ୍ଲେଖଯୋଗ୍ୟ, ଶୀତକାଳୀନ ଅଧିବେଶନ ୩୧ ତାରିଖ ଯାଏଁ ଚାଳିବ । ମୋଟ୍ ୨୬ଟି କାର୍ଯ୍ୟଦିବସ ରହିଛି ।

Also Read  ଓଡ଼ିଶାରେ ହୋଲିର ଧୁମ୍: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here