ଓଡ଼ିଆ ଭାଷାରେ ସାଂସଦ ଭାବରେ ଶପଥ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
35
ଓଡ଼ିଆ ଭାଷାରେ ସାଂସଦ ଭାବରେ ଶପଥ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ଭାଷାରେ ସାଂସଦ ଭାବରେ ଶପଥ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ଭାଷାରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜୁଏଲ୍ ଓରାମ ମଧ୍ୟ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜୁନ ୨୪ – ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହୋଇ ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭା ଭବନରେ ଓଡ଼ିଆ ଭାଷାରେ ସାଂସଦ ସଦସ୍ୟ ଭାବେ ଶପଥ ନେଇଛନ୍ତି ।

୧୮ତମ ଲୋକସଭାର ଉଦଘାଟନୀ ଅଧିବେଶନ ଆରମ୍ଭ ହେବା ପରେ କାମଚଳା ବାଚସ୍ପତି ଭାବରେ ଦାୟିତ୍ୱ ନେଇଥିବା ସାଂସଦ ଭର୍ତ୍ତୃହରି ମହତାବ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସମେତ ନବନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇଥିଲେ । ଜୁଏଲ୍ ଓରାମ ମଧ୍ୟ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କରିଥିଲେ, ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଆ ଭାଷାରେ ଶପଥ ପାଠ କରିଥିବା କାରଣରୁ ଲୋକସଭା ଭବନରେ ଓଡ଼ିଆ ଅସ୍ମିତାର ଗୁଞ୍ଜରଣ ହୋଇଥିଲା ।

ଓଡ଼ିଆ ଭାଷାରେ କେନ୍ଦ୍ରମନ୍ତ୍ରୀ ଶପଥ ନେଇ କହିଥିଲେ “ମୁଁ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇ ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ମୁଁ ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ରଖିବି, ମୁଁ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବି ଏବଂ ମୁଁ ଯେଉଁ ପଦ ଗ୍ରହଣ କରିବାକୁ ଯାଉଅଛି ତାହାର କର୍ତ୍ତବ୍ୟ ଶ୍ରଦ୍ଧାପୂର୍ବକ ନିର୍ବାହ କରିବି।”

ଶପଥ ପାଠ ନେଇ ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ “୧୮ତମ ଲୋକସଭାର ସାଂସଦ ସଦସ୍ୟ ଭାବରେ ଶପଥ ଗ୍ରହଣ କରି ଗୌରବ ଅନୁଭବ କରୁଛି । ସମ୍ବଲପୁବାସୀଙ୍କ ସମେତ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସମାଜର ସେବା କରିବା ପାଇଁ ସବୁବେଳେ ଚେଷ୍ଟା କରିବି । ”

ଉଲ୍ଲେଖନୀୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଦେବଗଡ଼ରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରୁ ଦୁଇ ଦୁଇ ଥର ରାଜ୍ୟସଭାରୁ ନିର୍ବାଚିତ ହୋଇ ମୋଦୀ ସରକାରରେ ପେଟ୍ରୋଲିୟମ, ଗ୍ୟାସ, ଇସ୍ପାତ୍, ଶିକ୍ଷା ଓ ଦକ୍ଷତା ବିକାଶ ଭଳି ବିଭାଗର ଦାୟିତ୍ୱ ନେଇଥିଲେ ।

Also Read  ଓପିନିଅନ ପୋଲ ଉପରେ ରୋକ ଲଗାଇବାକୁ ଦାବି କଲା ସପା