ଓଡ଼ିଶାର ୬ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

0
727
ଓଡ଼ିଶାର ୬ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର ୧୪ : ଦୀର୍ଘ ୨୦୦ ଏବଂ ୨୫୦ ବର୍ଷ ପୂର୍ବେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇନଥିବା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର) ପକ୍ଷରୁ ଉଦ୍ୟମ କରାଯିବ ବୋଲି ନୂଆଦିଲ୍ଲୀରେ ଏକ ବିଶେଷ କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବୁଧବାର “ଡ଼ାକ ଟିକଟ ସଂଗ୍ରହ ଦିବସ” ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର ୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ପ୍ରସ୍ତୁତ ସ୍ୱତନ୍ତ୍ର ଡ଼ାକ ଲଫାପାକୁ ଉନ୍ମୋଚନ କରିଛନ୍ତି ।
ଏହି ମହାନ ସ୍ୱାଧୀନତା ସଂଗ୍ରାମୀଗଣ ହେଲେ ଶହୀଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚକରା ବିଷୋୟୀ, ଚାଖି ଖୁଂଟିଆ, ଶହୀଦ ବାଜି ରାଉତ ଏବଂ ପାର୍ବତି ଗିରି ।
ଏହି ଅବସରରେ ଶ୍ରୀ ପ୍ରଧାନ ଉନ୍ମୋଚିତ ହୋଇଯାଇଥିବା ଲଫାପାକୁ କିଣି ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଏହି ଲଫାପାକୁ କିଣି ସମସ୍ତେ ବ୍ୟବହାର କରିପାରିଲେ ହିଁ ଏହି ମହାପୁରୁଷ ଏବଂ ମହିୟସୀ ମହିଳାଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଦେଇ ହେବ ।

ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଥିବା ବେଳେ ଅସଂଖ୍ୟ ବୀର ସ୍ୱତନ୍ତ୍ରତା ସଂଗ୍ରାମୀ ଏବଂ ଦେଶଭକ୍ତିର ଅକୁହା କାହାଣୀକୁ ଉଜ୍ଜିବୀତ କରିବା ପାଇଁ ଏହି ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରାଯାଇଛି ।
ଭାରତ ସରକାରଙ୍କ ପକ୍ଷରୁ ଏଭଳି ପ୍ରଚେଷ୍ଟା ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତଥା ଡ଼ାକ ବିଭାଗ ସହ ଜଡ଼ିତ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ବ୍ରିଟିଶ ବିରୋଧରେ ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କ ସଂଗ୍ରାମ, ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବଳିଷ୍ଠ ନେତୃତ୍ୱ, ଘୁମୁଷର ପାଇଁ ଆପ୍ରାଣ ଚେଷ୍ଟା କରିଥିବା ଜନଜାତି ଜନନାୟକ ଚକରା ବିଷୋୟୀ, ସିପାହୀ ବିଦ୍ରୋହରେ ଚାଖି ଖୁଂଟିଆଙ୍କ ଭୂମିକା,ଶହୀଦ ବାଜି ରାଉତଙ୍କ ସାହସ ଓ ପାର୍ବତି ଗିରିଙ୍କ ଦେଶସେବାର ଇଚ୍ଛାଶକ୍ତି ସର୍ବଦା ପ୍ରେରଣା ହୋଇ ରହିବ ।
ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ଓଡ଼ିଶାର ଏହି ବୀର ଯୋଦ୍ଧାଗଣ ଯେଉଁ ତ୍ୟାଗ, ତପସ୍ୟା, ସାହସ ତଥା ବଳିଦାନ ଦେଖାଇଛନ୍ତି, ତାହା ଅବିସ୍ମରଣୀୟ । ମାତ୍ର ସମସ୍ତ ଦେଶଭକ୍ତିପୂର୍ଣ୍ଣ କାର୍ଯ୍ୟ କିମ୍ବା ନିଃସ୍ୱାର୍ଥ ବଳିଦାନ ଇତିହାସରେ ଲିପିବଦ୍ଧ ହୋଇନାହିଁ । ଆଗାମୀ ଦିନରେ ଓଡ଼ିଶାର ମହାନାୟକଙ୍କ ତ୍ୟାଗ ତଥା ବଳିଦାନକୁ ଶତାବ୍ଦୀ ଶତାବ୍ଦୀ ଧରି ଉଜ୍ଜିବୀତ କରି ରଖିବା ପାଇଁ ଓଡ଼ିଶାର ପୁରାତନ ଇତିହାସ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ ମାଧ୍ୟମରେ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ, ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର
ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟାଦ ତଥା ପରିବାର ସଦସ୍ୟଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଜୟୀ ରାଜଗୁରୁଙ୍କ ବଂଶର ଷଷ୍ଠ ପିଢ଼ି ଦୟାନନ୍ଦ ମହାପାତ୍ର ଓ ତ୍ରିଦେବ ନନ୍ଦ, ବକ୍ସି ଜଗବନ୍ଧୁଙ୍କ ଷଷ୍ଠ ପିଢ଼ିର ବଂଶଜ ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଚକରା ବିଷୋଇ ସାଂସ୍କୃତିକ ଏକାଡେମୀର ସଭାପତି ଜଗବନ୍ଧୁ ଜେନା, ଚାଖି ଖୁଂଟିଆଙ୍କ ବଂଶର ଚତୁର୍ଥ ପିଢ଼ି ହଜୁରି ଭୀମସେନ ଖୁଂଟିଆ, ସହିଦ ବାଜି ରାଉତଙ୍କ ଦାୟାଦ କୁଳମଣି ରାଉତ, ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ୱିତୀୟ ପିଢ଼ିର ଦାୟାଦ ଭରତ କୁମାର ଗିରିଙ୍କ ସହ କେନ୍ଦ୍ରମନ୍ତ୍ରୀ କଥା ହୋଇଥିଲେ ।

Also Read  5 school students killed, 4 injured in Odisha road accident