ବଳ ଜୁଟାଉଛି ଜୱାଦ : ୧୦୦ କିମି ବେଗରେ ବହିବ ପବନ

0
208
ବଳ ଜୁଟାଉଛି ଜୱାଦ
ବଳ ଜୁଟାଉଛି ଜୱାଦ

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ସକାଳେ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନରେ ପରିଣତ ହେବ । ଡିପ୍ରେସନ ହେବା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ ।  ତେବେ ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି ବାତ୍ୟା ‘ଜୱାଦ’  । ଏଥିଯୋଗୁ ଆସନ୍ତା କାଲି ରାତିରୁ ଆରମ୍ଭ ହୋଇଯିବ  ବର୍ଷା, ପବନ । ତେବେ ଏହି ସମୟରେ ପବନ ବେଗ ସର୍ବାଧିକ ୯୦ରୁ ୧୦୦ କି.ମି ରହିବ । ପବନ ବେଗ ତାଠାରୁ ଅଧିକ ହେବା ଆଶଙ୍କା ନାହିଁ କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିଥିବା ବେଳେ  ବାତ୍ୟା ଓ ତତ୍‌ଜନିତ ସମସ୍ୟା ସଂପର୍କରେ  ଆଲୋଚନା କରିଛନ୍ତି । ଓଡ଼ିଶା ଓ ଆନ୍ଧ୍ର ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ମଧ୍ୟ ତର୍ଜମା କରିଛନ୍ତି ପ୍ରଧାନମନ୍ତ୍ରୀ।  ଏହି ୨ ରାଜ୍ୟ ଉପରେ ବାତ୍ୟାର ପ୍ରଭାବ  ଓ ଏହାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା କରିଛନ୍ତି । ଏହି ହାଇ ପ୍ରୋଫାଇଲ ବୈଠକରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀ  ସାମିଲ ହୋଇ ବାତ୍ୟାର ସ୍ଥିତି ଓ ପ୍ରଭାବ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ IMD ଡିଜି କହିଛନ୍ତି,  ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକାଳେ ୱେଲ୍-ମାର୍କଡ ଲୋ-ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ଏହା ଡିପ୍ରେସନର ରୂପ ନେଇପାରେ।  ଉତ୍ତର-ପଶ୍ଚିମ ଦିଗରେ ଗତି କରି ୪ ତାରିଖରେ ଉତ୍ତର- ଆନ୍ଧ୍ର, ଦକ୍ଷିଣ -ଓଡ଼ିଶା ନିକଟ ସମୁଦ୍ରରେ ଏହା କେନ୍ଦ୍ରୀଭୂତ ହେବ । ଏହାପରେ ଏହା ଦିଗ ପରିବର୍ତ୍ତନ କରିବ। ତେବେ ଏହା କେଉଁଆଡ଼େ ମୁହାଁଇବ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି। ଡିପ୍ରେସନରେ ପରିଣତ ହେବା ପରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ।

ତେବେ ବାତ୍ୟା  ‘ଜୱାଦ’  କେଉଁଠି ଲ୍ୟାଣ୍ଡଫଲ୍‌ କରିବ  ତାହା ସ୍ପଷ୍ଟ ହୋଇନି । ବର୍ଷା ପ୍ରଥମେ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେବ । ତା’ ପରେ ଉତ୍ତର ଓଡ଼ିଶା ଆଡ଼କୁ ବର୍ଷା, ପବନ ଗତି କରିବ । ତେବେ ୩ ତାରିଖ ମଧ୍ୟରାତ୍ରୀ ପରେ ପବନ ବେଗ ବଢ଼ିବାକୁ ଲାଗିବ । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ଆରମ୍ଭ ହୋଇ  ୪ ତାରିଖ ଅପରାହ୍ନ ବେଳକୁ  ୭୦ରୁ ୯୦କିମି ପର୍ଯ୍ୟନ୍ତ ବହିବ  ବୋଲି କହିଛନ୍ତି IMD ଡିଜି ।

Also Read  Odisha's originally born Agni-II ballistic missile test-fired from Dhamra port today

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା  ପ୍ରଭାବରେ ଆସନ୍ତାକାଲିଠାରୁ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା ।  ଆସନ୍ତା କାଲିଠୁ ୪ତାରିଖ ସକାଳ ଯାଏଁ ୪ଟି ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂପୁରକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି । କିନ୍ତୁ ୪ ତାରିଖରେ ଉକ୍ତ ୪ ଜିଲ୍ଲା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯିବା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ତାସହ ସେହି ଦିନ ଆଉ ୭ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା ଓ କୋରାପୁଟକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ବି ସେଦିନ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ତେବେ ୫ ତାରିଖ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ସହ ୭ ଜିଲ୍ଲାକୁ ୟେଲୋ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ । ବାତ୍ୟାର ପ୍ରକୋପ ଯୋଗୁ ଆସନ୍ତା ୩ରୁ ୫ ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here