କେନ୍ଦୁଝର : କେନ୍ଦୁଝର ଜିଲ୍ଲାରରେ ଟମାଟୋ କେଜି ୨ଟଙ୍କା। ଏବେ ଅଧିକ ଉତ୍ପାଦନ ଓ ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଖୋଲା ବଜାରରେ ଟମାଟୋ କେଜି ଏବେ ୧୦ଟଙ୍କା ଓ ଦୁଇ କିଲୋକୁ ୧୫ଟଙ୍କା ରହୁଛି। ଆଜି ଏଠାରେ ୩୦ କିଲୋଗ୍ରାମ ଟମାଟୋ ଟ୍ରେକୁ ମାତ୍ର ୬୦ଟଙ୍କାରେ ଆନନ୍ଦପୁରରୁ ରାଜଧାନୀ ଭୁବନେଶ୍ବରକୁ ଚାଲାଣ କରାଯାଇଛି। ଅହେତୁକ ଦର ହ୍ରାସଯୋଗୁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି।
ଜାନୁଆରି ମାସରେ ଟମାଟୋ ୩୦ କିଲୋଗ୍ରାମର ଟ୍ରେ ୩୫୦ଟଙ୍କାରେ ବେପାରୀଙ୍କୁ ବିକ୍ରି କରୁଥିଲେ। ଏବେ ଦିନକୁ ଦିନ ଦର କମୁଛି। ଆଜି ହାତୀବନ୍ଧାରେ ଟ୍ରେ ମାତ୍ର ୬୦ଟଙ୍କାରେ ବିକ୍ରି କରାଯାଇଛି। ଆନନ୍ଦପୁର ପୌରାଞ୍ଚଳର ପଦ୍ମପୁରରେ ଦୁଇଦିନ ତଳେ ଟ୍ରେ ପିଛା ୪୦ରୁ ୫୦ ଟଙ୍କା ଦରରେ ବିକ୍ରି ହୋଇଥିବା ନେଇ ଜଣାପଡ଼ିଛି। ପ୍ରତିଦିନ କମ୍ ଦରରେ ଟ୍ରିପ୍ ଟ୍ରିପ୍ ବିଲାତି ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଛି। ଅଧିକ ଅମଳ ହେଉଥିବାରୁ ବାଧ୍ୟହୋଇ ଚାଷୀମାନେ କମ୍ ଦରରେ ବିକ୍ରି କରୁଛନ୍ତି। ଶୀତଳଭଣ୍ଡାର ନଥିବାରୁ ଏହାର ସଂରକ୍ଷଣ ମଧ୍ୟ ହୋଇପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଆନନ୍ଦପୁରର ପଦ୍ମପୁର, ହାତୀବନ୍ଧା, ବଳଦୁଆଁ, ବେଲବାହାଳି, ସରେଇଁ ଅଞ୍ଚଳରେ ପାଖାପାଖି ୫୦ଏକର ଜମିରେ ଚଳିତବର୍ଷ ବିଲାତି ଚାଷ କରାଯାଇଛି। ଅଗଷ୍ଟରୁ ନଭେମ୍ବର ମାସ ପର୍ଯ୍ୟନ୍ତ ବାହାର ରାଜ୍ୟରୁ ଟମାଟୋ ଆସି ଆନନ୍ଦପୁର ବଜାରରେ କିଲୋଗ୍ରାମ ପିଛା ୮୦ରୁ ୧୦୦ଟଙ୍କାରେ ବିକ୍ରି ହେଉଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଟମାଟୋ ଉତ୍ପାଦନ ହେବାରୁ ଜାନୁଆରି ମାସରେ କିଲୋଗ୍ରାମ ପିଛା ୪୦ଟଙ୍କାରେ ବିକ୍ରି ହେଉଥିଲା। ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁ ଚାଷକାର୍ଯ୍ୟ ବିଳମ୍ବ ଯୋଗୁ ଚାଷୀମାନେ ବିଳମ୍ବରେ ଟମାଟୋ ଚାଷ କରିଥିଲେ। ଏବେ ଉତ୍ପାଦନ ହେବା ବେଳକୁ ବଜାରରେ ଦର ହ୍ରାସ ପାଇଛି। ଆନନ୍ଦପୁର ବ୍ଲକ୍ ହାତୀବନ୍ଧା ଗ୍ରାମର ଚାଷୀ ନରହରି ଜେନାଙ୍କ କହିବା ଅନୁସାରେ ସେ ୨ଏକର ଜମିରେ ବିଲାତି ଚାଷ କରିଥିଲେ। ଉତ୍ପାଦନ ଯାହା ହୋଇଛି ସେ ଦେଢଲକ୍ଷ ଟଙ୍କାର ଟମାଟୋ ବିକ୍ରି କରିବାର ଲକ୍ଷ୍ୟ ରଖିଥିଲେ। ହେଲେ ମାତ୍ର ୬୦ ହଜାର ଟଙ୍କା ଉଠିଛି। କୁହୁଡ଼ି ପ୍ରଭାବରେ ବିଲାତି ଚାଷ କିଛିଟା କ୍ଷତିଗ୍ରସ୍ତ ହୋଇଥିବାରୁ ଆଉ ଆଗକୁ ବିଲାତି ଅମଳ ହେବା କଷ୍ଟକର ।
























