ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)କୁ ଆସୁଥିବା ବହୁମୂଲ୍ୟ କୋଇଲା ଅଧା ବାଟରେ ହିଁ ଚୋରି ହୋଇଯାଉଛି। ମାଲବାହୀ ଟ୍ରେନ୍ରେ ପରିବହନ ହେଉଥିବା କୋଇଲା କାରଖାନା ଭିତରକୁ ପଶିବା ପୂର୍ବରୁ ହିଁ ଚୋରି ହୋଇଯାଉଥିବାରୁ ପ୍ରବଳ ରାଜସ୍ବ ହାନୀ ଘଟୁଛି। କ୍ରସିଂ/ସିଗ୍ନାଲ ପାଇଁ ଟ୍ରେନ୍ ଅଟକି ରହୁଥିବାବେଳେ ଏହାର ସୁଯୋଗ ନେଇ ଚୋରି କରୁଛନ୍ତି ଚୋରଦଳ। କେବଳ ଜଣେ ୫/୧୦ ଜଣ ନୁନ୍ତି, ବରଂ ବହୁସଂଖ୍ୟାରେ ସ୍ଥାନୀୟ ଲୋକ ଟ୍ରେନ୍ରୁ ଅନୈତିକଭାବେ ଅନଲୋଡ୍ କରି ଚୋରି କରୁଛନ୍ତି।
ଏଭଳି ଢ଼ଙ୍ଗରେ ଦୈନିକ ପାଖାପାଖି ୧୦ ଲକ୍ଷ ଟଙ୍କାର ୧୦୦୦/୧୨୦୦ ଶହ ବସ୍ତା କୋଇଲା ଚୋରି ହେଉଥିବା ଜଣାପଡ଼ିଛି। ଏହି ରୢାକେଟ୍ରେ ଟ୍ରେନ୍ ଚାଳକ, ଗାର୍ଡ, ସିଆଇଏସ୍ଏଫ୍, ଆର୍ପିଏଫ୍ ଯବାନଙ୍କ ଆକୁଣ୍ଠ ସମର୍ଥନ ରହିଥିବା ଅଭିଯୋଗ ହୁଏ। ଆର୍ଏସ୍ପିକୁ ପ୍ରତିଦିନ ୫/୬ଟି ମାଲବାହୀ ଟ୍ରେନ୍(ରେକ୍)ରେ କୋଇଲା ପରିବହନ କରାଯାଉଛି। ଦିନକୁ ପାଖାପାଖି ୧୫ ହଜାର ଟନ୍ କୋଇଲା ହିଁ ଆସୁଛି। ଏଥିରେ ସ୍ଥାନୀୟ ଅଞ୍ଚଳ ସମେତ ଅଷ୍ଟ୍ରେଲିଆରୁ ଆମଦାନୀ ହେଉଥିବା କୋଇଲା ମଧ୍ୟ ଅନ୍ତର୍ଭୁକ୍ତ।
ଏହି କୋଇଲା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାପୂର୍ବରୁ ଅଧାବାଟରେ ଚୋରି ହେବା ଏବେ ନିତିଦିନିଆ ହେଲାଣି। ତେବେ ଗତ କିଛି ଦିନ ହେଲା ଏହି କାରବାର ସୀମା ଟପିଛି। କୋଇଲା ଚୋରଙ୍କ କେନ୍ଦ୍ରସ୍ଥଳୀ ପାଲଟିଛି ବନ୍ଧମୁଣ୍ଡା ଡିଜେଲ କଲୋନି ଛକ ପାଖ ରେଳ ଧାରଣା। ବନ୍ଧମୁଣ୍ଡା ରେଲୱେ ୟାର୍ଡରୁ୍ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଉକ୍ତ ରେଳପଥରେ କାରଖାନା ଭିତରକୁ ପ୍ରବେଶ କରିଥାଏ। ତେବେ କ୍ରସିଂ/ସିଗ୍ନାଲ ପାଇଁ ମାଲମାହୀ ଟ୍ରେନ୍ କାରଖାନା ପ୍ରବେଶ ପୂର୍ବରୁ ଡିଜେଲ କଲୋନୀ ରେଲୱେ ବ୍ରିଜ୍ ପାଖରେ ବେଶ୍ କିଛି ସମୟ ରହିଥାଏ।
ଆଉ ଏହାର ଫାଇଦା ଉଠାଇଥାନ୍ତି ସ୍ଥାନୀୟ ଶୀତଳନଗର, ତିଲକାନଗରରେ କିଛି ପୁରୁଷ ଓ ମହିଳା। ଟ୍ରେନ୍ ଅଟକିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ଶତାଧିକ ପୁରୁଷ/ମହିଳା ରେଳ ଧାରଣାରେ ଠୁଲ ହୋଇଯାଆନ୍ତି। କିଛି ଲୋକ ଟ୍ରେନ୍ ଉପରକୁ ଚଢ଼ି ବସ୍ତା/ବୋରାରେ କୋଇଲା ଭର୍ତ୍ତି କରି ତଳକୁ ଫୋପାଡ଼ିଥାନ୍ତି। ଉକ୍ତ କୋଇଲା ଭର୍ତ୍ତି ବସ୍ତାକୁ ତଳେ ଥିବା, ବିଶେଷକରି ମହିଳାମାନେ ହିଁ ଗୋଟାଇ ସିଧାସଳଖ ନିଜ ନିଜ ଘରକୁ ନେଇଯାଆନ୍ତି। ସେଠାରେ ସେମାନେ ଚୋରି କୋଇଲାକୁ ଗଚ୍ଛିତ କରି ରଖିଥାନ୍ତି।
ପ୍ରାୟ ଶହେରୁ ଅଧିକ ଲୋକ ଏକାସାଙ୍ଗରେ ଦିନ ଦ୍ବିପ୍ରହରରେ ଏଭଳି କୋଇଲା ଚୋରିରେ ମାତିଯାଆନ୍ତି। ଗୋଟିଏ ମାଲବାହୀ ଟ୍ରେନ୍ରୁ ପ୍ରତିଦିନ ପାଖାପାଖି ୨ ଶହ ବସ୍ତା କୋଇଲା ଚୋରି ହେଉଥିବାବେଳେ କାରଖାନାକୁ ଆସୁଥିବା ମୋଟ୍ ୫/୬ ଟ୍ରେନ୍ରୁ ପାଖାପାଖି ୧୦୦୦/୧୨୦୦ ବସ୍ତା କୋଇଲା ଚୋରି ହୋଇଥାଏ। ପ୍ରତ୍ୟେକ ବସ୍ତାରେ ପାଖାପାଖି ୫୦/୬୦ କେଜି କୋଇଲା ରହୁଛି। ଅର୍ଥାତ୍, କେବଳ ଦିନକରେ ପ୍ରାୟ ୮୦ ଟନ୍ କୋଇଲା ଚୋରି ହେଉଛି।
ଚୋରଦଳ ଉକ୍ତ ଗଚ୍ଛିତ କୋଇଲାକୁ ବସ୍ତା ପିଛା ପ୍ରାୟ ୮୦୦/୧୦୦୦ ଟଙ୍କାରେ କୋଇଲା ମାଫିଆଙ୍କୁ ବିକ୍ରି କରିଥାନ୍ତି। ସନ୍ଧ୍ୟା ହେବାମାତ୍ରେ ଉକ୍ତ ବସ୍ତି ଅଞ୍ଚଳରେ କୋଇଲା କିଣାବିକା ଆରମ୍ଭ ହୋଇଯାଇଥାଏ। ଏହାସହ ଭୋର୍ରେ ହିଁ ଚୋରା କୋଇଲା ସବୁ ରାଉରକେଲାର ବିଭିନ୍ନ ଅଞ୍ଚଳକୁ ବାଇକ୍/ଅଟୋ/ପିକ୍ଅପ୍ ଯୋଗେ ଚୋରାଚାଲାଣ କରାଯାଏ। ଉଲ୍ଲେଖଯୋଗ୍ୟ, ଏଭଳି ଟ୍ରେନ୍ରୁ କୋଇଲା ଚୋରି କରୁଥିବାବେଳେ ପୂର୍ବରୁ ଅନେକଗୁଡ଼ିକ ଛୋଟବଡ଼ ଦୁର୍ଘଟଣା ବି ନଜିର ରହିଛି।
କେତେବେଳେ ଟ୍ରେନ୍ ଧକ୍କା ତ କେତେବେଳେ ଟ୍ରେନ୍ ଉପରୁ ପଡ଼ି, ପୁଣି ଟ୍ରେନ୍ ଚକ ତଳେ ଆସି ମୃତ୍ୟୁବରଣ କରିଛନ୍ତି। ଗତ ଏକ ଦଶନ୍ଧିରେ ୧୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ବହୁ କୋଇଲା ଚୋର ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ବି ହୋଇଛନ୍ତି। ତଥାପି ରୋଜଗାର ଲୋଭରେ ଟ୍ରେନ୍ରୁ କୋଇଲା ଚୋରି କରିବାରୁ ବିରତ ହେଉନାହାନ୍ତି। ସବୁ ଜାଣି ଆର୍ପିଏଫ୍, ଆର୍ଏସ୍ପିର ସିଆଇଏସ୍ଏଫ୍, ସ୍ଥାନୀୟ ପୁଲିସ ଚୁପ୍ ବସିଛି। ଫଳରେ କୋଇଲା ଚୋରି ବଢ଼ୁଛି ସିନା କମିବାର ନାଁ ନେଉନି।