ଦୁଇ ଦିନ ପରେ ଲେଉଟିବ ଶୀତ : ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ

0
608
ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ
ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ କୁହୁଡ଼ି ଅନୁଭୂତ ହେବାକୁ ଥିବାରୁ ଏଥିଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆସନ୍ତା ୨ ଦିନ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ୨ ଦିନ ପରେ ଧୀରେ ଧୀରେ ପାରଦ ତଳକୁ ଖସିବ। ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ ଓ ପୁଣି ରାଜ୍ୟ‌କୁ ଶୀତ ଲେଉଟିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ  କେନ୍ଦ୍ରର ସୂଚନା ମୁତାବକ, ଆଜି ସକାଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତଥା ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି। ଆସନ୍ତାକାଲି କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଖୋର୍ଧା ଓ କଟକ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେହିଭଳି ୨୬ ତାରିଖରେ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଣୁ ଏହି ଦୁଇ ଦିନ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଟିଟିଲାଗଡ଼ଠାରେ ୧୨.୩ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାପରେ ରାଜ୍ୟର ପାରଦ ଧୀରେଧୀରେ ନିମ୍ନଗାମୀ ହେବ ଓ ଶୀତ କମିବ।

ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ସର୍ବ‌ାଧିକ ବର୍ଷା ଢେଙ୍କାନାଳ ଜିଲ୍ଲା ଭୁବନଠାରେ ୩୭ ମିମି ରେକର୍ଡ ହୋଇଛି। ଏହାଛଡ଼ା ଜଗତସିଂହପୁର ଜିଲ୍ଲା ପାରଦୀପଠାରେ ୩୬.୨ ମିମି ଓ ଭୁବନେଶ୍ବରରେ ୧୫.୨ ମିମି ବର୍ଷା ହୋଇଛି। ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ବିଶେଷ ସମ୍ଭାବନା ନାହିଁ।

Also Read  Odisha's strategic position under PM’s 'Act East Policy' to take centre stage at PBD