ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ଼ ନିଯୁକ୍ତି : ଏକାଥରେ ୭ ହଜାରଙ୍କୁ ନିଯୁକ୍ତିପତ୍ର

0
287
ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଏକାଥରେ ୭ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର। ଆସନ୍ତା ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଥିବା ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୋଟିଏ ପଟେ ସ୍କୁଲ ଭିତ୍ତିଭୂମି ସୁଦୃଢ଼ ହେଉଥିବା ବେଳେ ଅନ୍ୟପଟେ ପ୍ରଥମ ଥର ଲାଗି ଓଡ଼ିଶା ଶିକ୍ଷା ଇତିହାସରେ ରାଜ୍ୟ ସରକାରଙ୍କ ଏଭଳି ଏକ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ସୂଚନା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତାହାକୁ ସଫଳ କରିବା ଲାଗି ପ୍ରାଥମିକ ପର୍ଯ୍ୟାୟରେ ଭିତ୍ତିଭୂମି ସଜଡ଼ା ଯାଉଛି। ଆଉ ଏବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯେଉଁ ଅଭାବ ରହିଛି ତାହା କିଭଳି ପୂରଣ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ନିଯୁକ୍ତିପତ୍ର ପାଇବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୂପାନ୍ତରିତ ହୋଇଥିବା ୧୦୭୫ଟି ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ। ଏଥିପାଇଁ ଯେଉଁ ବିଦ୍ୟାଳୟଗୁଡ଼ିକରେ ହିନ୍ଦୀ, ସଂସ୍କୃତ, ପିଇଟି, ଟିଜିଟି ଆର୍ଟସ୍‌, ଟିଜିଟି ସାଇନ୍ସ(ପିସିଏମ୍‌/ସିବିଜେଡ୍‌), ଟିଜିଟି ତେଲୁଗୁ ଶିକ୍ଷକ ପଦବି ଖାଲି ରହିଛି ତାହାର ତାଲିକା ପ୍ରସ୍ତୁତ ହୋଇଛି। ନବ ନିଯୁକ୍ତି ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜିଡିଟାଲ କ୍ଷେତ୍ରରେ ମଧ୍ୟ ଦକ୍ଷ କରାଯିବ। ଏଥିପାଇଁ ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା ବି ହେବ। ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ବିଭାଗୀୟ ଅଧୀକାରୀ, ଶିକ୍ଷାବିତ୍‌ମାନେ ଉପସ୍ଥିତ ରହି ଦିର୍ଗଦର୍ଶନ ‌କରାଇବେ। ଦିନତମାମ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡ଼ିଛି।

ପ୍ରଧାନଶିକ୍ଷକ ପଦବି ପୂରଣ ଲାଗି ୧୦୯୭ ଜଣ ଜୁନିଅର ଏସ୍‌ଇଏସ୍‌ ପ୍ରଧାନଶିକ୍ଷକଙ୍କୁ ସିନିଅର ଏସ୍‌ଇଏସ୍‌ ପ୍ରଧାନଶିକ୍ଷକକୁ ପଦୋନ୍ନତି ଦିଆଯାଇଛି। ୩୭୦ ଜଣଙ୍କୁ ସିନିଅର ଏସ୍‌ଇଏସ୍‌ ପ୍ରଧାନଶିକ୍ଷକରୁ କ୍ଲାସ-୨ ପ୍ରଧାନଶିକ୍ଷକ ପଦବି ଦିଆଯାଇଛି। ୧୬୦ ଜଣ ଓଇଏସ୍‌(ଏସ୍‌ବି)-୨ ପ୍ରଧାନଶିକ୍ଷକ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୪୦ ହଜାର ୫୨ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ଖାଲିପଡ଼ିଥିବା ପଦବିଗୁଡ଼ିକ ପୂରଣ ଲାଗି ଚୁକ୍ତିଭିତ୍ତିକ ଶିକ୍ଷା ସହାୟକଙ୍କୁ ନିୟମିତ କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ହାଇସ୍କୁଲରେ ଖାଲି ପଡ଼ିଥିବା ୧୧ ହଜାର ୩୩୯ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଥିଲେ ମଧ୍ୟ ଆବଶ୍ୟକ ପ୍ରାର୍ଥୀ ମିଳି ନାହାନ୍ତି। ନିୟମ ଅନୁଯାୟୀ ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି) ସମେତ ଅନ୍ୟାନ୍ୟ ବର୍ଗର ପ୍ରା‌ର୍ଥୀଙ୍କ ଲାଗି ପଦବି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ସେତେ ସଂଖ୍ୟକ ପ୍ରାର୍ଥୀ ଯୋଗ୍ୟତା ମାନଦଣ୍ଡ ପୂରଣ କରିପାରି ନାହାନ୍ତି। ଯେଉଁଥିପାଇଁ ପ୍ରାୟ ୭ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ମିଳିବାକୁ ଥିବା ବେଳେ ଆହୁରି ୪ ହଜାରରୁ ଅଧିକ ପଦବି ଖାଲି ରହିଛି। କେଉଁଭଳି ଭାବେ ଏହି ପଦବିଗୁଡ଼ିକ ପୂରଣ ହେବ ତାହାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କରାଯିବା ସହ ଯୋଗ୍ୟତା ମାନଦଣ୍ଡ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

Also Read  ୪୧ହଜାର ୫୦୦ କୋଟି ଡଲାର ଅତିକ୍ରମ କଲା ଦେଶର ସାମଗ୍ରୀ ରପ୍ତାନୀ

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶିକ୍ଷକ ନିଯୁକ୍ତି ଲାଗି ଯୋଗ୍ୟତା ପରୀକ୍ଷା କରାଯାଇଥିଲା ସେଥିରେ ଏସ୍‌ଟି ବର୍ଗର ବହୁ ସଂଖ୍ୟକ ପ୍ରାର୍ଥୀ ମିଳିଲେ ନାହିଁ। ଯେଉଁଥିପାଇଁ ୪ ହଜାର ପଦବି ଖାଲି ରହିଲା। ନିୟମ ଅନୁଯାୟୀ ସଂରକ୍ଷିତ ସିଟ୍‌ରେ ଅନ୍ୟ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ। ତେଣୁ ମନଦଣ୍ଡରେ କୋହଳ କରାଯାଇ ଉକ୍ତ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ସିବିଟି ମାର୍କିଂରେ କୋହଳ କରିବାକୁ ନିଷ୍ପତ୍ତି ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଡିସେମ୍ବର ୧୬ରେ ପ୍ରଥମ ପର୍ଯ୍ୟାୟ ନିଯୁକ୍ତିପତ୍ର ବଣ୍ଟନ ସରିବା ପରେ ଜାନୁଆରି ଭିତରେ ବାକି ୪ ହଜାର ପଦବି ପୂରଣ ହେବ। ନବ ନିଯୁକ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭାବେ ରୂପାନ୍ତରିତ ସ୍କୁଲରେ ନିଯୁକ୍ତି ଦିଆଯିବ। ଏହାପରେ ଅନ୍ୟ ସ୍କୁଲ କଥା ଚିନ୍ତା କରାଯିବ।

LEAVE A REPLY

Please enter your comment!
Please enter your name here