ଡେସ୍କ: ଶ୍ରୀଲଙ୍କା କିଛି ଦିନ ହେବ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥୁବା ବେଳେ, ବିଶ୍ୱର କେତେକ ବଡ଼ବଡ଼ କ୍ରେଡିଟ୍ ରେଟିଙ୍ଗ୍ ସଂସ୍ଥାମାନେ ଶ୍ରୀଲଙ୍କା ଋଣ ଖିଲାପକାରୀ ଦେଶ ହେବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ସତର୍କତା ଜାରି କରିଛନ୍ତି। ଫିଚ୍ ରେଟିଙ୍ଗ୍ସ୍ କହିଛି, ଶ୍ରୀଲଙ୍କା ଋଣ ଖିଲାପକାରୀ ଦେଶ ହୋଇ ସାରିଛି। ଏହାର ସର୍ବଶେଷ ରେଟିଙ୍ଗ୍ ରେଟ୍ ଶ୍ରୀଲଙ୍କା ଋଣ ଖିଲାପର ଦ୍ୱାରଦେଶରେ ଉପନୀତ ହେଇଛି ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ଏସ ଆଣ୍ଡ ପି ଗ୍ଲୋବାଲ୍ ରେଟିଙ୍ଗସ ଶ୍ରୀଲଙ୍କା ଋଣ ଖିଲାପକାରୀ ଦେଶ ହେବାକୁ ଯାଉଥିବା କହିଛି। ଏହି ସଂସ୍ଥା କହିଛି, ଶ୍ରୀଲଙ୍କାର ଋଣ ପୈଠ ଯୋଜନା ବିଷୟରେ ଅଧିକ ତଥ୍ୟକୁ ଏହା ଅପେକ୍ଷା କରିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଶ୍ରୀଲଙ୍କା ବୈଦେଶିକ ଋଣ ପଇଠ କରିବାରେ ଅସ୍ଥାୟୀ ଭାବେ ଅସାମର୍ଥ୍ୟ ପ୍ରକାଶ କରିଥିଲା। ବିଗତ ୭୦ ବର୍ଷର ଇତିହାସରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି।
ଇତିମଧ୍ୟରେ ବିଜୁଳିକାଟ ଓ ଖାଦ୍ୟଶସ୍ୟ, ଇନ୍ଧନ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ସାମୂହିକ ବିକ୍ଷୋଭ ପ୍ରଦର୍ଶନ ହେଉଥିବାରୁ ବିଦେଶରେ କାର୍ଯ୍ୟରତ ସିଂହଳୀ ନାଗରିକମାନେ ଦେଶକୁ ଅର୍ଥ ପଠାଇବା ପାଇଁ ଶ୍ରୀଲଙ୍କା କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ବିଦେଶରେ ଥିବା ନାଗରିକମାନଙ୍କୁ ଷ୍ଟର୍ଲିଙ୍ଗ୍, ଡଲାର ଓ ୟୁରୋ ପଠାଇବାକୁ ଅନୁରୋଧ କରିଛନ୍ତି।