ଭୁବନେଶ୍ୱର ରେ କର୍କଟ ରୋଗୀଙ୍କ ଯତ୍ନ, ସ୍ନେହ, ଶ୍ରଦ୍ଧା ଓ ଉପଶମର କେନ୍ଦ୍ର ବାଗ୍‌ଚୀ-କରୁଣାଶ୍ରୟ

0
322
ଭୁବନେଶ୍ୱର ରେ କର୍କଟ ରୋଗୀଙ୍କ ଯତ୍ନ, ସ୍ନେହ, ଶ୍ରଦ୍ଧା ଓ ଉପଶମର କେନ୍ଦ୍ର ବାଗ୍‌ଚୀ-କରୁଣାଶ୍ରୟ
କର୍କଟ ରୋଗୀଙ୍କ ଯତ୍ନ ପାଇଁ ଭୁବନେଶ୍ୱର ର ଗଣ୍ଡମୁଣ୍ଡାଠାରେ ବାଗ୍‌ଚୀ- କରୁଣାଶ୍ରୟ ଗୃହଭିତ୍ତିକ ସେବା(ହୋମ୍‌ କେୟାର ସର୍ଭିସ୍‌) କେନ୍ଦ୍ରର ଆରମ୍ଭ ହେଇଛି ।

ଡ଼ିସେମ୍ବର ୮
କର୍କଟ ରୋଗୀଙ୍କ ଯତ୍ନ ପାଇଁ ଭୁବନେଶ୍ୱର ର ଗଣ୍ଡମୁଣ୍ଡାଠାରେ ବାଗ୍‌ଚୀ- କରୁଣାଶ୍ରୟ ଗୃହଭିତ୍ତିକ ସେବା(ହୋମ୍‌ କେୟାର ସର୍ଭିସ୍‌) କେନ୍ଦ୍ରର ଆରମ୍ଭ ହେଇଛି । ଓଡ଼ିଶା ସରକାର, ବାଙ୍ଗାଲୋର ହସ୍‌ପିସ୍‌ ଟ୍ରଷ୍ଟ ଏବଂ ବାଗ୍‌ଚୀ କରୁଣାଶ୍ରୟଙ୍କର ମିଳିତ ପ୍ରଚେଷ୍ଟାରେ ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଅନୁଷ୍ଠାନ ଆରମ୍ଭ କରାଯାଇଛି I

ଆଗାମୀ ଦିନରେ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ସହାୟତା ନେଇ ରାଜ୍ୟର ବିଭିନ୍ନ ଅଂଚଳକୁ ଏହି ସେବା ସଂପ୍ରସାରିତ କରିବା ପାଇଁ, ଉଦଘାଟକ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଥିଲେ ।

ସେ ଆଶା ପ୍ରକାଶ କରିଥିଲେ ଯେ ଇନ୍‌ଫୋଭ୍ୟାଲି-୨ ରେ ବାଗ୍‌ଚୀ-ଶ୍ରୀ ଶଙ୍କର କର୍କଟ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଦେଇଥିବା ଜମିରେ ବାଗ୍‌ଚୀ ଶ୍ରୀ ଶଙ୍କରଙ୍କର କର୍କଟ ଚିକିତ୍ସାଳୟ ଓ କରୁଣାଶ୍ରୟ ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଘ୍ର ଶେଷ ହେବ । ଏହା ପୂର୍ଣ୍ଣାଙ୍ଗ ହେଲେ କର୍କଟ ଚିକିତ୍ସାକ୍ଷେତ୍ରରେ ଓଡ଼ିଶା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ, ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଏହି ଅବସରରେ କହିଥିଲେ ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବ I ଏହି କରୁଣାଶ୍ରୟ କର୍କଟ ପିଡୀତ ମାନଙ୍କ ପାଇଁ ଆବଶ୍ୟକ ଥିବା ମାନବିକ ଯତ୍ନର ଏକ ବଡ଼ ଶୂନ୍ୟସ୍ଥାନ ପୂରଣ କରୁଛି ।

ବାଙ୍ଗାଲୋର ହସ୍‌ପିସ୍‌ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଶ୍ରୀ ଗୁରୁମିତ ସିଂ ରନ୍ଧାୱା ଏହି ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଓ ସହାୟତା ପାଇଁ ଉଚ୍ଚ ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ଏହି କେନ୍ଦ୍ର ଏମ୍‌ସ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା ପ୍ରତିଷ୍ଠାନ ଏବଂ ରାଜଧାନୀ ଚିକିତ୍ସାଳୟଙ୍କ ସହ ସମନ୍ୱିତ ଭାବେ କାର୍ଯ୍ୟ କରିବ ।

ଏହି ଅବସରରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା କେନ୍ଦ୍ର ଏବଂ ବାଗ୍‌ଚୀ କରୁଣାଶ୍ରୟ ହସ୍‌ପିସ୍‌ ଟ୍ରଷ୍ଟ ମଧ୍ୟରେ କର୍କଟ ଚିକିତ୍ସା ନିମନ୍ତେ ସହଯୋଗିତା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଓଡ଼ିଶାରେ ଉନ୍ନତ ମାନର କର୍କଟ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ସୁବ୍ରତ୍‌ ବାଗ୍‌ଚୀ ଏବଂ ଶ୍ରୀମତି ସୁସ୍ମିତା ବାଗ୍‌ଚୀ ବାଙ୍ଗୋଲର କରୁଣାଶ୍ରୟକୁ ଅନୁରୋଧ କରିଥିଲେ । ଏଥି ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱର ଇନ୍‌ଫୋ ଭ୍ୟାଲି ଅଞ୍ଚଳରେ ୨୦ ଏକର ପରିମିତ ସ୍ଥାନ ଯୋଗାଇ ଦେଇଛନ୍ତି ।

Also Read  ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ: ଭର୍ତ୍ତୁହରି କହିଲେ ସମସ୍ତେ ଭୋଟ୍ ଦେବା ଉଚିତ, ସୁର କହିଲେ ନା

ଏହାଛଡ଼ା ତୁରନ୍ତ ଗୃହଭିତ୍ତିକ ସେବା ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ଗଣ୍ଡମୁଣ୍ଡା ଠାରେ 10 ହଜାର ବର୍ଗଫୁଟର ବିଲ୍‌ଡିଂ ଯୋଗାଇ ଦେଇଛନ୍ତି । ଅକ୍ଟୋବର ୧୮ ତାରିଖରୁ ଏହି ସେବା ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିଲା । ସେଥରୁ ପ୍ରାପ୍ତ ଅନୁଭୂତି ଭିତ୍ତିରେ ଆଜି ଏହି ଗୃହ ଭିତ୍ତିକ ସେବା ବ୍ୟବସ୍ଥାର ଆନୁଷ୍ଠାନିକ ଶୁଭାରମ୍ଭ କରାଗଲା ।

ବାଗ୍‌ଚୀ କରୁଣାଶ୍ରୟ କେନ୍ଦ୍ରରେ ନିୟୋଜିତ ଡାକ୍ତର, ସେବିକା, କାଉନ୍‌ସେଲର, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀ ବିଏଚ୍‌ଟି ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେଇଛନ୍ତି ।

ବର୍ତ୍ତମାନ ଏହି ସେବା ଭୁବନେଶ୍ୱର ସହର ଏବଂ ତତ୍‌ସଂଲଗ୍ନ ୨୦ କି.ମି. ପରିଧି ଅଂଚଳ ମାନଙ୍କରେ ଉପଲବ୍ଧ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ରୁ ଅଧିକ ରୋଗୀଙ୍କୁ ଗୃହଭିତ୍ତିକ ସେବା ଯୋଗାଇ ଦିଆଯାଉଛି । ଏହି କେନ୍ଦ୍ରଦ୍ୱାରା ଏଠାରେ ରୋଗୀମାନଙ୍କୁ ମାଗଣାରେ ଓୌଷଧ, ସେବା, ଶାନ୍ତ୍ୱନା ଦିଆଯିବା ସହ ମାନସିକ ସ୍ତରରେ ଦୃଢ଼ କରାଯାଇଥାଏ ।

ବାଙ୍ଗାଲୋର ହସ୍‌ପିସ୍‌ ଟ୍ରଷ୍ଟର ସହ-ନିର୍ଦ୍ଦେଶକ, ଡାକ୍ତର ବବିତା ଭାରକେ କର୍କଟ ରୋଗୀଙ୍କୁ ଗୃହଭିତ୍ତିକ ସେବା ଯୋଗାଉଥିବା କର୍ମଚାରୀ ଏବଂ ଅନୁଷ୍ଠାନ ବିଷୟରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ସେବିକା ରଜାଲିନ୍‌ ସେନାପତି ଏବଂ ଜଣେ କର୍କଟ ରୋଗୀ ଶ୍ରୀ ରୂପଚନ୍ଦ୍ର ମଲ୍ଲିକ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।

ଓଡ଼ିଶ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରୋତୋ ବାଗ୍‌ଚୀ ଏବଂ ମୋ ସ୍କୁଲ୍‌ ଅଭିଯାନର ଅଧ୍ୟକ୍ଷ ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ, ରାଜଧାନୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ସମେତ କରୁଣାଶ୍ରୟର ଡାକ୍ତର, ସେବିକା ଓ କର୍ମଚାରୀମାନେ ଏହି ଉଦ୍‌ଘାଟନୀ ସଭାରେ ଅଂଶଗ୍ରହଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here