ଭୁବନେଶ୍ୱର : ମୁଁ ନ ଥିବା ଅବସ୍ଥାରେ ବିନା ଅନୁମତିରେ ପୁଲିସ୍ ମୋ ଅଫିସକୁ ପଶିବା ଦୁର୍ଭାଗ୍ୟଜନକ। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ବିନା ଅନୁମତିରେ ପଶିବା ନିନ୍ଦନୀୟ ଘଟଣା। ଏପରି କହିଛନ୍ତି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଗତକାଲି ପୁଲିସ୍ ବିଶେଶ୍ୱର ଟୁଡୁଙ୍କ ବାରିପଦାସ୍ଥିତ କାର୍ଯ୍ୟାଳୟରେ ପଶି ଜଣେ ଯୁବକଙ୍କୁ ପଚରାଉଚରା କରି ଫେରିଆସିଥିଲା।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଆମର ବିକାଶ ଧାରାରେ ହତୋତ୍ସାହିତ ହୋଇ ଶାସକ ଦଳ ବିଜେଡି ଏଭଳି କରୁଛି। ବିଗତ ନିର୍ବାଚନରେ ମୟୂରଭଞ୍ଜରେ ସେମାନଙ୍କ ପରାଜୟ ଯୋଗୁ ହତୋତ୍ସାହିତ ହୋଇପଡ଼ିଛନ୍ତି । ତେବେ ଆସିଥିବା ଅଭିଯୋଗ ମିଥ୍ୟା ଓ ରାଜନୈତିକ ଅଭିସନ୍ଧିମୂଳକ। ଅତିତରେ ମୟୂରଭଞ୍ଜ ଜିଲ୍ଲାରେ ଏପରି ଘଟଣା ବହୁଥର ଘଟିଛି। ସରକାରୀ ଅଫିସରେ ପଶି ଅଧିକାରୀଙ୍କୁ ବିଜେଡି କର୍ମୀ ପିଟିଛନ୍ତି। ଡାକ୍ତରମାନଙ୍କୁ ବହୁଥର ମାଡ଼ ହୋଇଛି , ସେମାନେ ମଧ୍ୟ ଖଣ୍ଡିଆଖବରା ହୋଇଛନ୍ତି। ହେଲେ ପୁଲିସ୍ ସେଥିରେ କିଛି କର୍ଣ୍ଣପାତ କରିନାହିଁ। ବରଂ ସେହି ପୁଲିସ ଏହି ଘଟଣାକୁ ଏଡ଼ାଇ ଦେଇଛି।
ଜାନୁଆରୀ ୨୧ ତାରିଖ ଦିନ ୨ଟା ସମୟରେ ୨ ଅଧିକାରୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଅଫିସରମାନେ ସଙ୍ଗେ ସଙ୍ଗେ ଥାନାରେ ଅଭିଯୋଗ କରିପାରିଥାନ୍ତେ। ହେଲେ ରାତି ୧୦ଟା ବେଳେ ବିଜେଡି ଲୋକଙ୍କୁ ସାଙ୍ଗରେ ଧରି ଥାନାରେ ଏତଲା ଦେଇଥିଲେ। ଏଥିରୁ ଜଣାପଡ଼ୁଛି ଏହି ଘଟଣାଟି କପଳକଳ୍ପିତ, ସନ୍ଦେହ କରିବାର ମାନେ ନାହିଁ। ନିର୍ବାଚନ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କୁ ମସ୍ତିଷ୍କକୁ ଡାଇଭଟ୍ କରିବାକୁ ଚାହୁଁଛନ୍ତି। ଆମକୁ କେହି ଡାଇଭଟ୍ କରିପାରିବେ ନାହିଁ। ଆମକୁ ଲୋକ ଆର୍ଶୀବାଦ ଦେଇଛନ୍ତି ଓ କାମ କରିବାର ସୁଯୋଗ ଦେଇଛନ୍ତି, ଆମେ ଉନ୍ନତି କରିଚାଲିଛୁ। ପୁଣି ଲୋକମାନେ ଆମକୁ ଆର୍ଶୀବାଦ କରିବେ, ଆମେ ମଧ୍ୟ ଆଗେଇ ଚାଲିବୁ ସେ କହିଛନ୍ତି,।