ନୂଆଦିଲ୍ଲୀ : ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ଅତିକ୍ରମ କରିଯାଇଛି । ଏହା ସତ୍ତ୍ବେ ଯୁଦ୍ଧ ଦିନକୁ ଦିନକୁ ଦିନ ଅଧିକ ଭୀଷଣ ହେଉଛି । ଏବେ ୟୁକ୍ରେନ ମଧ୍ୟ ରୁଷ ଭିତରେ ପଶି ଆକ୍ରମଣ ଆରମ୍ଭ କରିଦେଇଛି । ଏଭଳି ପରିସ୍ଥିତି ମଧ୍ୟରେ ଭାରତ ଆସିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ ଭାରତ ଯଦି ୟୁକ୍ରେନ ଓ ରୁଷ ମଧ୍ୟରେ ମଧ୍ୟସ୍ଥତା କରିବ ମସ୍କୋ ତାହାକୁ ସମର୍ଥନ କରିବ ।
ସେ କହିଛନ୍ତି ଯେ ଭାରତ ବିଶ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ଦେଶ । ଭାରତ ବିଶ୍ବ ରାଜନୀତିରେ ନିଜର ଭୂମିକା ନିର୍ବାହ କରି ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସେ ତେବେ ରୁଷ ତାହାକୁ ସମର୍ଥନ କରିବ ।
ମଧ୍ୟସ୍ଥତା ପାଇଁ ଭାରତକୁ ରୁଷର ପ୍ରସ୍ତାବକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । କାରଣ ଭାରତ ରୁଷର ବନ୍ଧୁରାଷ୍ଟ୍ର ହୋଇଥିଲେ ବି ୟୁକ୍ରେନ ସଂକଟକୁ ନେଇ ଏପର୍ଯ୍ୟନ୍ତ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଆସିଛି । ଏଥିପାଇଁ ଭାରତ ଉଭୟ ଶିବିର ପାଇଁ ଗ୍ରହଣୟ ହୋଇପାରିବ ବୋଲି ମନେ କରାଯାଉଛି । ଏବେ ତୁର୍କୀରେ ୟୁକ୍ରେନ ଓ ରୁଷ ମଧ୍ୟରେ ଆଲୋଚନା ଚାଲିଥିଲେ ବି ତୁର୍କୀ ନାଟୋ ସଦସ୍ୟ ହୋଇଥିବାରୁ ତାହାର ଆଭିମୁଖ୍ୟ ପ୍ରତି ସଂଦେହ ଜାରି ରହିଛି ।
ଅନ୍ୟପକ୍ଷରେ ରୁଷ ବୈଦେଶିକ ମନ୍ତ୍ରୀ ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଆଲୋଚନା ବେଳେ ସେ ମୋଦୀଙ୍କୁ ୟୁକ୍ରେନ ପରିସ୍ଥିତି ଓ ଚାଲିଥିବା ଶାନ୍ତି କଥାବାର୍ତ୍ତା ସମ୍ପର୍କରେ ଅବଗତ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ ଶାନ୍ତି ପାଇଁ ଭାରତ ଯେକୌଣସି ଭୂମିକା ନିର୍ବାହ ପାଇଁ ପ୍ରସ୍ତୁତ ଅଛି ।