ଅଫଲାଇନ୍‌ ବୋର୍ଡ ପରୀକ୍ଷା ବାତିଲ ଦାବିରେ ଗର୍ଜିଲେ ଯୁକ୍ତ ୨ ଛାତ୍ରଛାତ୍ରୀ

0
687

ଭୁବନେଶ୍ୱର: ରାଜଧାନରେ ଗର୍ଜିଲେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ। ଅଫଲାଇନ୍‌ ବୋର୍ଡ ପରୀକ୍ଷା ବାତିଲ ଦାବିରେ ରାଜରାସ୍ତାରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧୀକ ଛାତ୍ରଛାତ୍ରୀ। ଏହାପରେ ନବୀନ ନିବାସ ମୁହାଁ ହେବା ବେଳେ ମାଷ୍ଟର କ୍ୟାଣ୍ଟିନଠାରେ ପୁଲିସ୍‌ ସହ ମୁହାଁମୁହିଁ ବି ହେଲେ।

ସୂଚନାଯୋଗ୍ୟ,  କିଛି ଦିନ ପୂର୍ବେ ମାଟ୍ରିକ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ରହିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ।   କୋଭିଡ ଆରମ୍ଭ ସମୟରେ କଲେଜରେ ପାଦ ଥାପିଥିବା ଏହି ପିଲାଙ୍କର କରୋନା ଯୋଗୁ ପାଠପଢ଼ା ଖୁବ୍‌ ବାଧାପ୍ରାପ୍ତ ହୋଇଛି। ଏପରିକି ମାସ ମାସ ଧରି ଅନଲାଇନ୍‌ କ୍ଲାସ୍‌ କରିଛନ୍ତି ଏହି ପିଲା ।

କୋଭିଡ ଥମିବା ପରେ ଗତ ବର୍ଷ ମାସ ୫,୬ ମାସ ପାଇଁ କଲେଜ ଖୋଲିଥିବା ବେଳେ ୩ ମାସରେ ୩ଟି କ୍ୱାର୍ଟର ପରୀକ୍ଷା ହେଲା।  ଅବଶିଷ୍ଟ ୩ ମାସ ପାଠ ପଢ଼ା ହୋଇଥିବା ବେଳେ ସେଥିରେ କ’ଣ ବର୍ଷକର ପାଠ ସରିଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ। ଯଦି ସରିଗଲା, ତେବେ ଗୋଟିଏ ଗୋଟିଏ ସେମିଷ୍ଟାର ପାଠପଢ଼ା ପାଇଁ କାହିଁକି ୬ ମାସ ଲାଗୁଛି ବୋଲି ପ୍ରଶ୍ନ ବି ପଚାରିଛନ୍ତି।

ଏନେଇ ନିଜ ଯୁକ୍ତି ରଖି ପିଲାମାନେ କହିଛନ୍ତି, କୋଭିଡ କଟକଣାରେ ଯଦି ମଲ୍‌, ବାର୍‌ ଖୋଲିପାରୁଛି ତେବେ କଲେଜ ଖୋଲିଲେ ଅସୁବିଧା କ’ଣ । ଏ ଯାଏ କୋର୍ସ ଶେଷ ହୋଇନି। ତେଣୁ ପରୀକ୍ଷା କିପରି ହେବ । ଏହାବାଦ ଜଣେ ଛାତ୍ରୀ କହିଛନ୍ତି, ଆମର ୩ଟି କ୍ୱାର୍ଟର ପରୀକ୍ଷା ହୋଇଛି। ଆମକୁ ସେହି ଆଧାରରେ ମାର୍କ ଦିଆଯାଉ । ଯେଉଁମାନେ ସନ୍ତୁଷ୍ଟ ନାହାନ୍ତି ସେମାନେ ପରୀକ୍ଷା ଦେଇପାରନ୍ତି। ଯଦି ଅନଲାଇନ୍‌ କ୍ଲାସ କରିଛ, ତା’ ହେଲେ ପରୀକ୍ଷା କାହିଁକି ଅଫଲାଇନ୍‌।

Also Read  Fisherman disappear upon boat overturning in Rengali Reservoir in Angul