ନ୍ୟୁୟର୍କ : ଆମେରିକାରେ ଗତ କିଛିଦିନ ହେଲା ଲଗାତାର ଭାବେ ଅପରାଧିକ ମାମଲା ବୃଦ୍ଧିପାଇବାରେ ଲାଗିଛି । କିଛିଦିନ ପୂର୍ବରୁ ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିବା ବେଳେ ହସ୍ପିଟାଲରେ ମଧ୍ୟ ଅନ୍ଧାଧୂନ ଗୁଳିମାଡ ଘଟଣା ସାମ୍ନାକୁ ଆସିଥିଲା । ଆଉ ଏବେ ଫିଲାଡେଲଫିଆରେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମତ୍ୟୁ ଘଟିଛି । ସେହିଭଳି ଗୁଳିମାଡରେ ୧୨ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଥିବା କୁହାଯାଉଛି ।
ଶନିବାର ମଧ୍ୟ ରାତ୍ରୀରେ ଫିଲାଡେଲଫିଆର ସାଉଥ୍ ଷ୍ଟ୍ରିଟ୍ରେ ଗୁଳିକାଣ୍ଡ ଘଟିଛି । ପୋଲିସ ପାଟ୍ରୋଲିଂ ଚାଲିଥିବା ବେଳେ ଗୁଳିକାଣ୍ଡ ଶବ୍ଦ ଶୁଣାଯାଇଥିଲା । ସାଉଥ୍ ଷ୍ଟ୍ରିଟ୍ର ବ୍ଲକ ନମ୍ବର ୨୦୦ରେ ଗୁଳିକାଣ୍ଡ ଶବ୍ଦ ଶୁଣି ପହଞ୍ଚିଥିଲା ପୋଲିସ । ଫିଲାଡେଲଫିଆର ୫୦ତମ ପ୍ରାଇଡ୍ ଉତ୍ସବ ଚାଲିଥିବା ବେଳେ ଏଭଳି ଆକ୍ରମଣ ହୋଇଛି । ଆକ୍ରମଣରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିଲେ ।
ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଶୁକ୍ରବାର ଏବଂ ଶନିବାର ମଧ୍ୟରେ ଆମେରିକାର ୯ଟି ସ୍ଥାନରେ ଆକ୍ରମଣ ଘଟିିଛି । କିନ୍ତୁ ସବୁଠାରୁ ବିଡମ୍ବନାର କଥା ହେଉଛି ଆକ୍ରମଣକାରାଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଯେ, ଅନେକ ଯୁବକ ଉତ୍ସବରେ ମାତିଥିଲେ । ଏପରିକି କାର ଉପରେ ଚଢି ଉତ୍ସବ ମନାଇଥିଲେ । ହଠାତ୍ ଜଣେ ଯୁବକ ବନ୍ଧୁକ ବାହାର କରି ଗୁଳିମାଡ ଆରମ୍ଭ କରିଥିଲା । ଏହା ପରେ ଆଉ କିଛି ଯୁବକ ମଧ୍ୟ ଗୁଳିମାଡ କରିଥିଲେ । ଫଳରେ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ସେମି ଅଟୋମେଟିକ୍ ବନ୍ଧୁକ ଜବତ କରଯାଇଥିବା ବେଳେ ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ଟେର୍ ପାଇନି ପୋଲିସ ।