ଯଶିପୁର,୧୪/୦୪: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ଆଦିବାସୀ ଭିନ୍ନକ୍ଷମ (ମୁକ) ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଛି । ଅପହରଣର ୭ ଦିନ ପରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଇଙ୍ଗିତ ମାଧ୍ୟମରେ ସେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ ।
ଘଟଣାରେ ଦୁଇ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ନାବାଳିକା ସୂଚନା ଦେଇଛନ୍ତି । ଉଭୟ ଅଭିଯୁକ୍ତ ତାଙ୍କୁ ବାଇକ୍ରେ ଅପହରଣ କରି ଏକ ବନ୍ଦ କୋଠରୀରେ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣାଇଛନ୍ତି । ପୀଡ଼ିତାଙ୍କ ବୟାନକୁ ରେକର୍ଡ କରି ଜଣେ ଅନୁବାଦକ ଆଜି ଯଶିପୁର ଫାଷ୍ଟଟ୍ରାକ୍ କୋର୍ଟର ମାଜିଷ୍ଟ୍ରେଟଙ୍କୁ ବୁଝାଇଥିଲେ । ଅଭିଯୁକ୍ତମାନଙ୍କ ନାଁ କହିପାରି ନଥିବାବେଳେ ଦେଖିଲେ ଚିହ୍ନଟ କରିପାରିବେ ବୋଲି ପ୍ରକାଶ କରିଛନ୍ତି ପୀଡ଼ିତା । ଅଭିଯୁକ୍ତମାନେ ଯଶିପୁର ଅଞ୍ଚଳର ବୋଲି ପୁଲିସ ସନ୍ଦେହ କରୁଛି ।
ସୂଚନା ଅନୁସାରେ, ଉକ୍ତ ଆଦିବାସୀ ମୁକ ଛାତ୍ରୀ ଜଣକ ନିକଟସ୍ଥ ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢ଼ୁଛନ୍ତି । ଗତ ୩୦ ତାରିଖ ଦିନ ପ୍ରାୟ ୯ଟାରେ ଛାତ୍ରୀ ଜଣକ ସ୍କୁଲକୁ ବାହାରିିଥିଲେ । ସ୍କୁଲ ଛୁଟି ହେବାର ଅନେକ ସମୟ ଯାଏ ସେ ଘରକୁ ନଫେରିବାରୁ ତାଙ୍କ ବାପା ସ୍କୁଲକୁ ଯାଇ ବୁଝିଥିଲେ । ତାଙ୍କ ଝିଅ ସ୍କୁଲ ଆସି ନଥିବା ଜଣେ ଶିକ୍ଷୟିତ୍ରୀ କହିଥିଲେ । ପରେ ତାଙ୍କ ବାପା ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ପତ୍ତା ପାଇନଥିଲେ । ଶେଷରେ ଝିଅ ନିଖୋଜ ଥିବା ନେଇ ଯଶିପୁର ଥାନାରେ ଗତ ୩ ତାରିଖରେ ବାପା ଅଭିଯୋଗ କରିଥିଲେ ।
ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୬ ତାରିଖ ବାପା, ମା’ ଗଢ଼ସାହି ଭଣ୍ଡନ ନଦୀ ପୋଲ ପାଖରେ ଝିଅ ଚାଲି ଚାଲି ଆସୁଥିବା ଦେଖିଥିଲେ । ପରେ ଝିଅ ବଳାତ୍କାରର ଶିକାର ହୋଇଥିବା କଥା ଇଙ୍ଗିତରେ ପରିବାରକୁ ଜଣାଇଥିଲେ । ତୁରନ୍ତ ବାପା, ମା’ ଝିଅକୁ ନେଇ ଥାନାରେ ପହଞ୍ଚି ସମସ୍ତ ଘଟଣା ଜଣାଇଥିଲେ । ଥାନାରୁ ଜଣେ ପୁଲିସ ଅଧିକାରୀ ପୀଡ଼ିତାଙ୍କୁ ନେଇ ବାରିପଦାସ୍ଥିତ ଏକ ମୁକବଧିର ବିଦ୍ୟାଳୟକୁ ଯାଇ ଜଣେ ଅନୁବାଦକଙ୍କ ସହାୟତାରେ ତାଙ୍କ କଥା ବୁଝିବାକୁ ଚେଷ୍ଟା କରିଥିଲେ । ପରେ ପୀଡ଼ିତା ଗଣବଳାତ୍କାରର ଶିକାର ହୋଇଥିବା କଥା ପଦାକୁ ଆସିଥିଲା ।
ମୁକ ହୋଇଥିବା ଯୋଗୁଁ ନାବାଳିକା ଜଣକ ଅଭିଯୁକ୍ତମାନଙ୍କ ନାଁ କହିବାକୁ ଅସମର୍ଥ ହୋଇଥିଲେ । ପୁଲିସ ପୀଡ଼ିତାଙ୍କୁ ରଖାଯାଇଥିବା ଘର ସମ୍ପର୍କରେ ଖବର ପାଇ ସେଠାକୁ ତାଙ୍କୁ ନେଇ ଘର ଚିହ୍ନଟ କରିଛି । ସେଠାରେ ତାଙ୍କୁ ହାତଗୋଡ଼ ବାନ୍ଧି ଚେୟାରରେ ବସାଇ ରଖିଥିଲେ ବୋଲି ପୀଡ଼ିତା ଦେଖାଇଥିଲେ । ତାଙ୍କୁ ଅପହରଣ କରାଯାଇ ବାଇକ୍ରେ ସେଠାକୁ ନିଆଯାଇଥିବା ଦର୍ଶାଇଥିଲେ । ସେଠାରେ ୭ ଦିନ ରଖି ବଳାତ୍କାର କରାଯାଇଥିବା କହିଥିଲେ । ଏନେଇ ଥାନାରେ ପୂର୍ବରୁ ରୁଜୁ ମାମଲାରେ ପୋକ୍ସୋ ଆକ୍ଟ ଲାଗୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ପୁଲିସ ।