ନୂଆଦିଲ୍ଲୀ : ଏକଛତ୍ରବାଦୀ ଶାସକ ତଥା ଉତ୍ତର କୋରିଆର ସର୍ବେସର୍ବା କିମ୍ ଜୋଙ୍ଗ ଉନ୍ କ୍ରୁରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ କରୋନା ସଂକ୍ରମଣ ଯୋଗୁଁ ପୁଣି ଶକ୍ତ ହୋଇଛନ୍ତି କିମ୍ । ଉତ୍ତର କୋରିଆରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଦେଶ ବ୍ୟାପୀ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଲକଡାଉନ୍କୁ ‘ସିରିୟସ୍ ଏମରର୍ଜିନ୍ସି’ ନାମରେ ନାମିତ କରିଛନ୍ତି କିମ୍ ଜୋଙ୍ଗ ଉନ୍ ।
କିନ୍ତୁ ଉତ୍ତର କୋରିଆରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ପୂର୍ବରୁ ମାନିବାକୁ ନାରାଜ ଥିଲେ କିମ୍ । କିନ୍ତୁ ଏବେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଘୋଷଣା କରିବା ସହିତ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି । କିଛି ଗଣମାଧ୍ୟମର ରିପୋର୍ଟ ମୁତାବକ ପୂର୍ବରୁ ମଧ୍ୟ ଉତ୍ତର କୋରିଆରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତୁ ଏହାକୁ ସାର୍ବଜନୀନ କରାଯାଉନଥିଲା ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଶରୀରରେ କରୋନାର BA.2 ଭ୍ୟାରିଆଣ୍ଟ ଲକ୍ଷଣ ଦେଖିବାକୁ ମିଳିଛି । ଗୁରୁବାର ଏ ନେଇ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି କିମ୍ ଜୋଙ୍ଗ ଉନ୍ । ବୈଠକ ପରେ ପୁରା ଉତ୍ତର କୋରିଆରେ ଲକଡାଉନ୍ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏକଛତ୍ରବାଦୀ ଶାସକ । ଏହା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରି କରୋନାକୁ ମିଳିମିଶି ମାତ୍ ଦେବାକୁ ଆଶ୍ବାସନା ଦେଇଛନ୍ତି ।
ତେବେ ଉତ୍ତର କୋରିଆରେ କେବଳ ଜଣେ ହିଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି କି ଅଧିକ ସେ ନେଇ କୌଣସି ସୂଚନା ନାହିଁ । କିନ୍ତୁ ଜଣେ ହିଁ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଛି । ଉତ୍ତର କୋରିଆରେ କିଛି ଅଞ୍ଚଳରେ ସଂକ୍ରମଣ ବ୍ୟାପକ ହୋଇଥିବା ନେଇ ଆଶଙ୍କା କରାଯାଉଛି । ସବୁଠାରୁ ବଡ କଥା ହେଉଛି ନର୍ଥ କୋରିଆରେ ୨.୫ କୋଟି ଜନତା ରହିଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଠାରେ ଟିକାକରଣ ଆରମ୍ଭ ହୋଇନାହିଁ । ଫଲରେ ଆଗକୁ ସେଠାରେ ବଡ ସମସ୍ୟା ଦେଖାଦେଇପାରେ ।