ଓଡ଼ିଶାର ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ଦାମୋଦର ହୋତାଙ୍କ ପରଲୋକ

0
654

ଭୁବନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ, ସଂଗୀତ ପ୍ରବୀଣ ତଥା ଉଡ୍ରପଦ୍ଧତ୍ତୀୟ ସଂଗୀତର ଗବେଷକ ଓ ପ୍ରଚାରକ ବର୍ଷିୟାନ ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କ ପରଲୋକ ହୋଇଛି। ଶନିବାର ରାତି ପ୍ରାୟ ୧୨ଟା ୧୫ ମିନିଟ୍‌ରେ ସମୟରେ ନୟାପଲ୍ଲୀସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ  ହୋଇଥିଲା। ସେ ବନାରସସ୍ଥିତ ବନାରସ୍ ହିନ୍ଦୁ ୟୁନିଭର୍ସିଟିରୁ ଶାସ୍ତ୍ରୀୟ ସଂଗୀତରେ ସ୍ନାତକୋତ୍ତର ଶିକ୍ଷା ପରେ ଉଚ୍ଚତର ଗବେଷଣା କରି ମୁମ୍ବାଇର ଅଖିଳ ଭାରତୀୟ ଗାନ୍ଧର୍ବ ମଣ୍ଡଳରୁ ପିଏଚଡି ଡିଗ୍ରି ହାସଲ କରିଥି‌ଲେ।

ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଦେଶର ଜଣେ ଖ୍ୟାତନାମା ହିନ୍ଦୁସ୍ତାନୀ ସଂଗୀତଜ୍ଞ ଗ୍ବାଲିୟର୍ ଘରାନାର ଜଣେ ପ୍ରସିଦ୍ଧ ଗାୟକ ଥିଲେ। ସେ ଏହି ଘରାନାର ପ୍ରବୀଣ ଗୁରୁ ପଣ୍ଡିତ ଓଂକାରନାଥ ଠାକୁର ଏବଂ ପଣ୍ଡିତ ବଲବନ୍ତ ରାଏ ଭଟ୍ଟଙ୍କ ଶିଷ୍ୟତ୍ବ  ଲାଭ କରିଥିଲେ। ଏଥିସହ ସେ ବିଶିଷ୍ଟ ସଂଗୀତ ଗବେଷକ ଡ. ପ୍ରେମଲତା ଶର୍ମାଙ୍କ ଠାରୁ ମଧ୍ୟ ସଂଗୀତ ସମ୍ବନ୍ଧୀୟ ଉଚ୍ଚତର ଶିକ୍ଷା ଲାଭ କରିଥିଲେ। ଶସ୍ତ୍ରୀୟ ସଂଗୀତ ପରିବେଷଣରେ ପଣ୍ଡିତ ହୋତା ଦୂରଦର୍ଶନ ଓ ଆକାଶବାଣୀର ଟପ୍ ଗ୍ରେଡ୍ ଆର୍ଟିଷ୍ଟର ମାନ୍ୟତା ଲାଭ କରିଥିଲେ।

ଗୁରୁ ଡ. ଦାମୋଦା ହୋତା ପୁରୀରେ ୧୯୩୫ ମସିହା ଡିସେମ୍ବର ମାସରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପା ସ୍ବର୍ଗତଃ ଗୋପୀନାଥ ହୋତା ଜଣେ ପାରମ୍ପରିକ ଓଡ଼ିଶୀ ଗାୟକ ହୋଇଥିଲା ବେଳେ ମାତା ଦାଣ୍ଡିମଣୀ ଦେବୀ ଛାନ୍ଦ, ଚଉତିଶା ଶିଳ୍ପୀ ଥିଲେ। ଏଣୁ ପିଲାଟି ଦିନରୁ ତାଙ୍କର ସଂଗୀତ ଶିକ୍ଷା ଗୃହାଙ୍ଗନରୁ ହିଁ ଆରମ୍ଭ ହୋଇଥିଲା। ପରେ ସେ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କ ଠାରୁ ଓଡ଼ିଶୀ ଓ ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ଶିକ୍ଷା କରିଥିଲେ। ଏହାପରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀରୁ ବୃତ୍ତି ଲାଭ କରି ବନାରସ ହିନ୍ଦୁ ୟୁନିଭର୍ସିଟିରେ ଅଧ୍ୟୟନ କରିଥିଲେ। ଡ. ହୋତାଙ୍କ ଶିକ୍ଷାଧାରାରେ ସାମିଲ୍ ହୋଇ ବହୁ ଲବ୍ଧ ପ୍ରତିଷ୍ଠ ଶାସ୍ତ୍ରୀୟ ଶିଳ୍ପୀ ପ୍ରସ୍ତୁତ ହୋଇଛନ୍ତି। ଏଥିସହ ଶାସ୍ତ୍ରୀୟ ସଂଗୀତ ଓ ଉଡ୍ର ପଦ୍ଧତୀୟ ସଂଗୀତ ଉପରେ ସେ ବହୁ ଉପାଦେୟ ପୁସ୍ତକ ରଚନା କରି ଯାଇଛନ୍ତି। ତାଙ୍କର ବିୟୋଗରେ ରାଜ୍ୟର ସଂଗୀତ ପରିସରରେ ‌ଶୋକର ଛାୟ‌ା ଖେଳିଯାଇଛି। ଡ. ହୋତାଙ୍କର ଶେଷଦର୍ଶନ ଲାଗି ତାଙ୍କ ବାସଭବନରେ ପ୍ରାକ୍ତନ ଛାତ୍ରଛାତ୍ରୀ ଓ ସଂଗୀତ ପ୍ରେମୀ ଏକତ୍ରୀତ ହୋଇଛନ୍ତି।

Also Read  NIMMS nursing students file complaint against college on charges of fake admission