ନୂଆଦିଲ୍ଲୀ: ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କୁମାର ଆଜି ସକାଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇ କହିଛନ୍ତି ଯେ ଦଳରୁ ଦୂରେଇ ରହି ବି ସେ ଦେଶ ପାଇଁ ଭଲ କାମ କରିପାରିବେ। ଏହା ବ୍ୟତୀତ କୁମାର କଂଗ୍ରେସ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ଆଇନ ମନ୍ତ୍ରୀ କଂଗ୍ରେସରୁ ଇସ୍ତଫା ଦେବା ପରେ କହିଛନ୍ତି ଯେ କଂଗ୍ରେସ ଆଉ ସେହି ଦଳ ହୋଇ ରହିନାହିଁ ଯାହା ପୂର୍ବରୁ ଥିଲା ।
ସେହିପରି କଂଗ୍ରେସ ବିପକ୍ଷରେ ଆସୁଥିବା ଫଳାଫଳରୁ ଦଳ ପ୍ରତି ଲୋକଙ୍କ ସମର୍ଥନ ନଥିବା ସେ କହିଛନ୍ତି । ଏଥିରେ ଦଳ ବିଚାର କରିବା କଥା ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ସେ ଭରସା କରି ପାରୁ ନାହାନ୍ତି। ରାହୁଲ ଗାନ୍ଧୀ କେବେ ଭବିଷ୍ୟତରେ ଜାତୀୟ ରାଜୀତିରେ ବିକଳ୍ପ ଚେହେରା ହୋଇ ପାରିବେ ନାହିଁ ବୋଲି ଅଶ୍ୱିନୀ ଦର୍ଶାଇଛନ୍ତି। କଂଗ୍ରେସ ଦଳ ଦିନକୁ ଦିନ ଦୁର୍ବଳ ହେଉଥିବା ସେ କହିଛନ୍ତି । ପୂର୍ବରୁ କଂଗ୍ରେସ ନେତା ତଥା ରାହୁଲ ଗାନ୍ଧୀଙ୍କ କୋର ଟିମ୍ର ସଦସ୍ୟ ଆରପିଏନ ସିଂ ଦଳରୁ ଇସ୍ତଫା ଦେଇଛନ୍ତି।
ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଥିବା ଆରପିଏନ ସିଂ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସରୁ ହାଇପ୍ରୋଫାଇଲ ନେତା ଦଳ ଛାଡ଼ିବା ପ୍ରକ୍ରିୟା ୨୦୨୦ରୁ ଆରମ୍ଭ ହୋଇଛି। ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ସେ ଏବେ କେନ୍ଦ୍ରର ମନ୍ତ୍ରୀ ଅଛନ୍ତି। ଗତ ବର୍ଷ ୟୁପି କଂଗ୍ରେସ ନେତା ଜିତନ ପ୍ରସାଦ ମଧ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ତେବେ ୨୦୧୪ ପରଠାରୁ ଜଣେ ବରିଷ୍ଠ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦଳ ଛାଡ଼ିବାରେ ଅଶ୍ୱିନୀ ହେଉଛନ୍ତି ପ୍ରଥମ। ଗାନ୍ଧୀ ପରିବାର ଖୁବ୍ ଅନୁଗତ ଥିବା ଅଶ୍ୱିନୀ ଦଳ ଛାଡ଼ିବା କଂଗ୍ରେସ ପାଇଁ ବଡ଼ ଧକ୍କା ବୋଲି କୁହାଯାଉଛି।

























