ଭୁବନେଶ୍ୱର
ଲାଟିନ୍ ଆମେରିକୀୟ ଏବଂ କାରିବିଆନ୍ ଦେଶଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ଦଶ ଜଣ ରାଷ୍ଟ୍ରଦୂତ KIIT ଏବଂ KISS ପରିଦର୍ଶନ କରିବା ଅବସରରେ, ଏହି ଦୁଇ ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟିକୋଣ ଓ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି I ଡକ୍ଟର ସାମନ୍ତଙ୍କ ଦୁରଦୃଷ୍ଟି ଯୋଗୁଁ, KIIT ଓ KISS ପରି ଦୁଇଟି ବିଶ୍ୱସ୍ତରୀୟ ଅନୁଷ୍ଠାନ ତିଆରି ହେଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି I ପେରୁ, ଆର୍ଜେଣ୍ଟିନା, ଉରୁଗୁଏ, ପାରାଗୁଏ, ସୁରିନାମ୍, ଚିଲି, ଜାମାଇକା, ବୋଲିଭିଆ, ଗୁଆଟେମାଲା ଏବଂ କଲମ୍ବିଆର ରାଷ୍ଟ୍ରଦୂତମାନଙ୍କୁ, KISS ର ଶିକ୍ଷା ଏବଂ ସଶକ୍ତିକରଣର ରୂପାନ୍ତରକାରୀ ମଡେଲ୍ ବହୁ ମାତ୍ରାରେ ପ୍ରଭାବିତ କରିପାରିଛି I
ଏହି ରାଷ୍ଟ୍ରଦୂତ ମାନେ, ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ନେଇ ଅନୁଷ୍ଠିତ ହେଇଥିବା ଗୋଟିଏ ବୈଠକରେ ଯୋଗଦେଇଥିଲେ I ‘ଆହ୍ୱାନ ଓ ସମାଧାନ’ କ୍ଷେତ୍ରରେ ସହଭାଗିତା, ଦକ୍ଷିଣ-ଦକ୍ଷିଣ ସହଯୋଗ ମାଧ୍ୟମରେ ‘ନିରନ୍ତର ବିକାଶ ଲକ୍ଷ୍ୟ’ ପୂରଣ କରିବା’ ପରି ବିଷୟ ଉପରେ ଉପସ୍ଥିତି ପ୍ରତିନିଧିଗଣ ବିସ୍ତାରିତ ଆଲୋଚନା କରିଥିଲେ I ଶିକ୍ଷା ଏବଂ ଜ୍ଞାନ ଆଦାନପ୍ରଦାନ, ଜଳବାୟୁ ପରିବର୍ତ୍ତନ ନେଇ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଏବଂ ସାମାଜିକ ବିକାଶ, ବାଣିଜ୍ୟ ଓ ନବସୃଜନ, ଲିଙ୍ଗଗତ ଅସମାନତାକୁ ଦୂରକରିବା ଏବଂ କୂଟନୀତି ସମେତ ପ୍ରମୁଖ ବିଷୟବସ୍ତୁ ଉପରେ ଗୁରୁତର ସହ ବିଚାର ଆଲୋଚନା କରିଥିଲେ I
ଏହି ବୈଠକରେ ବକ୍ତବ୍ୟ ରଖି ଡକ୍ଟର ସାମନ୍ତ କହିଲେ, ଏହି ଆଲୋଚନା ରାଜ୍ୟ ଓ ଦେଶ ପାଇଁ ଅନେକ ଉପାଦେୟ ହେବ ନିଶ୍ଚୟ I ବିକାଶ ନିଶ୍ଚିତ ଭାବରେ ସମସ୍ତଙ୍କ ପାଖରେ ପହଞ୍ଚିବା ଆବଶ୍ୟକ’ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି ବୈଠକରେ ଯୋଗଦେଇଥିବା ଦେଶଗୁଡିକ ପକ୍ଷରୁ ବକ୍ତବ୍ୟ ରଖି, GRULAC ର ଡିନ୍ ଏବଂ ଉରୁଗୁଏର ରାଷ୍ଟ୍ରଦୂତ ଆଲବର୍ଟୋ ଆଣ୍ଟୋନିଓ ଗୁଆନି ଆମରିଲା କହିଥିଲେ, ‘ଏସ ଡି ଜି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ, ଏହା ଏକ ଅର୍ଥପୂର୍ଣ୍ଣ ମଞ୍ଚ I ଭାରତରେ ଲାଟିନ୍ ଆମେରିକୀୟ ଏବଂ କାରିବିଆନ୍ ଦେଶଗୁଡ଼ିକର ରାଷ୍ଟ୍ରଦୂତ ଗୋଷ୍ଠୀର ସଂଯୋଜକ ଭାବରେ ଏହି ଗୋଲଟେବୁଲରେ ଅଂଶଗ୍ରହଣ କରିବା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ ନିଶ୍ଚୟ I ‘ ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ GRULAC , ସହଭାଗୀ ଅଭିଜ୍ଞତା ଉପରେ ଆଧାରିତ ସହଯୋଗର ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ I
ସମ୍ମାନିତ ଅତିଥିମାନଙ୍କୁ ସ୍ୱାଗତ କରି, KIIT ଏବଂ KISS ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି, “ଆପଣମାନେ KIIT ଏବଂ KISS କୁ ପ୍ରତ୍ୟକ୍ଷ ଭାବରେ ଦେଖିଛନ୍ତି ଏବଂ ଅନୁଭବ କରିଛନ୍ତି। ବର୍ଷ ବର୍ଷ ଧରି, ଆମେ ଦୁଇଶହ ଠାରୁ ଅଧିକ ଵ୍ୟକ୍ତିବିଶେଷକୁ ଆତିଥ୍ୟ ଦେଇଛୁ, କିନ୍ତୁ ଆଜିର ଦିନଟିର ଗୁରୁତ୍ୱ ଖୁବ ବେଶୀ କାରଣ ଏହା ବିଶ୍ୱର ସବୁଠାରୁ ଜରୁରୀ ଆବଶ୍ୟକତା ଉପରେ ଆଲୋଚନା କରିବା ପାଇଁ ଗ୍ଲୋବାଲ୍ ସାଉଥ୍ ରୁ ଚିନ୍ତାଶୀଳ ନେତାମାନଙ୍କୁ ଏକତ୍ରିତ କରିଛି ।”

























