ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏବେ ଖୁଆଡ଼ ସମ୍ମୁଖ (ଫ୍ରଣ୍ଟ୍ଲାଇନ୍)ରେ ଦେଖିପାରିବେ ୭ ବର୍ଷିୟ ସିଂହ ‘ଜୟ’ ଓ ସିଂହୀ ‘କଳ୍ପନା’କୁ । ୨୯(କ) ଖୁଆଡ଼ରେ ଏହି ଦୁଇ ଜଣଙ୍କୁ ଛଡ଼ାଯାଇଛି । ପୂର୍ବରୁ ସେମାନଙ୍କୁ ସିଂହ ସଫାରୀର ଫିଡିଂ ଚାମ୍ବରରେ ରଖାଯାଇଥିଲା । ଏହି ଖୁଆଡ଼ରେ ପୂର୍ବରୁ ଦୁଇ ସିଂହ, ସିଂହୀ ନରସିଂହା ଓ ଋକ୍ମିଣୀ ରହୁଥିଲେ । ସେଠାରୁ ଉଭୟଙ୍କୁ ହଟାଯାଇ ମଙ୍ଗଳବାରଠାରୁ ‘ଜୟ’ ଓ ‘କଳ୍ପନା’ଙ୍କୁ ରଖାଯାଇଛି । ଫଳରେ ଖୁଆଡ଼ ସମ୍ମୁଖରେ ପର୍ଯ୍ୟଟକ ଦୁଇ ସିଂହ, ସିଂହୀଙ୍କୁ ଦେଖିବାର ସୁଯୋଗ ପାଇପାରିବେ ।
ସିଂହୀ ‘କଳ୍ପନା’ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହ୍ୟାଣ୍ଡ୍ ରିୟରିଂରେ (ମଣିଷ ଦ୍ୱାରା ପାଳିତ) ବଡ଼ ହେବା ପରେ ତାକୁ ସଫାରୀରେ ଛଡ଼ା ଯାଇଥିଲା । ସିଂହ ‘କ୍ରିସ୍’ ଓ ସିଂହୀ ‘ରାଧା’ ମିଳନରୁ ୨୦୧୫ ମସିହାରେ ‘କଳ୍ପନା’ ଜନ୍ମଗ୍ରହଣ କରିଥିଲା । ମା’ ରାଧା ଶାବକକୁ ଗ୍ରହଣ ନକରିବାରୁ ତାକୁ ଶିଶୁ ଯତ୍ନ ଗୃହରେ ରଖାଯାଇ ହ୍ୟାଣ୍ଡ ରିୟରିଂରେ ପାଳନ କରାଯାଇଥିଲା । ସେହିପରି କାନନପିଣ୍ଡାରୀ ବିଳାଶପୁର ଚିଡ଼ିଆଖାନାରୁ ୪ଟି ସିଂହ (ଶରତ, ବସନ୍ତ, ସମ୍ରାଟ ଓ ଜୟ) ୨୦୧୯ ମସିହାରେ ଏଠାକୁ ଅଣାଯାଇଥିଲା । ସେବେଠାରୁ ସେମାନଙ୍କୁ ସିଂହ ସଫାରୀର ଫିଡିଂ ଚାମ୍ବରରେ ରଖାଯାଇଥିଲା । ସେଠାରେ ‘ସମ୍ରାଟ୍’ ସହିତ ‘ବିଜ୍ଲୀ’ର ମିଳନ କରାଯାଉଥିବା ବେଳେ ଏବେ ୨୯(କ) ଖୁଆଡ଼ରେ ‘ଜୟ’ ଓ “କଳ୍ପନା’କୁ ରଖାଯାଇ ମିଳନ କରାଯିବ ବୋଲି ଜଣାପଡ଼ିଛି ।