ଖେଳ ହେଲା କାଳ : ଜୀବନ ବିକଳେ ଦଉଡ଼ି ଧରି ୩୦ ଫୁଟ୍‌ ଉପରେ ଝୁଲି ରହିଲେ

0
519
ଖେଳ ହେଲା କାଳ
ଖେଳ ହେଲା କାଳ

ଶ୍ରୀଲଙ୍କା : ଗତ ସୋମବାର ଦିନ ଶ୍ରୀଲଙ୍କାର ଜାଫ୍‌ନାରେ ଗୁଡ଼ି ଉଡ଼ା ଖେଳ ଜଣେ ପ୍ରତିଦ୍ବନ୍ଦ୍ବୀଙ୍କ ପାଇଁ କାଳ ହୋଇଥିଲା। ଖଣ୍ଡେ ଦଉଡ଼ିକୁ ଧରି ସେ ୩୦ ଫୁଟ୍‌ ଉପରକୁ ଉଠିଯାଇଥିଲେ। ସେ ଧରିଥିବା ଦଉଡ଼ିଟିକୁ ତାଙ୍କ ଟିମ୍‌ ଛାଡ଼ି ଦେବାରୁ ସେ ସେଥିରେ ବନ୍ଧା ଯାଇଥିବା ଗୁଡ଼ି ସମେତ ଉପରକୁ ଉଠିଯାଇଥିଲେ। ଯୋଗକୁ, ଖଣ୍ଡିଆ ଖାବରା ନ ହୋଇ ସେ ପୁନର୍ବାର ଭୂଇଁରେ ଓହ୍ଲାଇ ଥିଲେ।

ଥାଇ ପୋଙ୍ଗଲ୍‌ରେ ଆୟୋଜନ କରାଯାଉଥିବା ଗୁଡ଼ି ଉଡ଼ା ଖେଳ ବହୁ ଲୋକଙ୍କର ପ୍ରିୟ। ପୋଙ୍ଗଲ୍‌ ପାଳନ ପାଇଁ ଦଳ ଦଳ ବନ୍ଧୁ ଏବଂ ପରିବାରବର୍ଗ ରଦ୍ଦି ସାମଗ୍ରୀରୁ ଅତି ସର୍ଜ୍ଜନଶୀଳ ଗୁଡ଼ି (ନୂଆ ଧରଣର) ତିଆରି କରି ଉଡ଼ାନ୍ତି। ଗୁଡ଼ି ଉଡ଼ା ଖେଳ ପାଇଁ ଲୋକେ ତିଆରି କରିଥିବା ଗୁଡ଼ିଗୁଡ଼ିକର ଉଡ଼ାଣ ଅଭ୍ୟାସ କରନ୍ତି। ତାହା ବି ସେମାନଙ୍କ ମନୋରଞ୍ଜନ କରେ। ଜୀବନ ବିକଳେ ଦଉଡ଼ିଖଣ୍ଡକୁ ଧରି ଜଣେ ବ୍ୟକ୍ତି ଶୂନ୍ୟରେ ଝୁଲି ରହିବାରୁ ପଏଣ୍ଟ୍‌ ପେଡ୍ରୋ ଠାରେ ସେଭଳି ଏକ ଉଡ଼ାଣ ଅଭ୍ୟାସ ବେଳେ ପରିସ୍ଥିତି ଭୟଙ୍କର ହୋଇଯାଇଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ଝୋଟ ଦଉଡ଼ିରେ ବନ୍ଧା ଯାଇଥିବା ଗୋଟାଏ ପ୍ରକାଣ୍ଡ ଗୁଡ଼ିକୁ ୬ଜଣ ବ୍ୟକ୍ତି ଉଠାଇ ଉଡ଼ାଇବାକୁ ଉଦ୍ୟମ କରୁଥିଲେ। ଗୁଡ଼ିଟି ଧୀରେ ଧୀରେ ଉପରକୁ ଉଠିବା ବେଳେ ଗୁଡ଼ିକୁ ଝଟକା ଦେଇ ଉଠାଇବା ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କୁ ଛାଡ଼ି ଦଳର ବାକି ଲୋକ ଦଉଡ଼ିରୁ ସେମାନଙ୍କ ହାତ କ‌ୋହଳ କରି ଦେଇଥିଲେ।

କିନ୍ତୁ, ଧୀରେ ଧୀରେ ପବନରେ ଭାସୁଥିବା ଗୁଡ଼ିଟି ଅକସ୍ମାତ୍‌ ଉର୍ଦ୍ଧ୍ବମୁଖୀ ହୋଇଗଲା ଏବଂ ନିମିଷକରେ ସେ ବ୍ୟକ୍ତିଜଣକ ମାଟିରୁ ୩୦ ଫୁଟ୍‌ ଉପରକୁ ଉଠିଯାଇ ଶୂନ୍ୟରେ ଝୁଲି ରହିଲେ। ଗୁଡ଼ି ଆହୁରି ଉପରକୁ ଉଠିଯିବା ପୂର୍ବରୁ ଦଉଡ଼ି ଛାଡ଼ି ଦେବାକୁ ସାଥୀମାନେ ପାଗଳ ଭଳି ଚିତ୍କାର କରି ତାଙ୍କୁ କହିଲେ। କିନ୍ତୁ, ଦଉଡ଼ି ଛାଡ଼ି ତଳକୁ ପଡ଼ିବ ପୂର୍ବରୁ ପ୍ରାୟ ୧ ମିନିଟ୍‌ ପାଇଁ ଶୂନ୍ୟରେ ଝୁଲି ରହିଥିବା ଭୟାବହ ଦୃଶ୍ୟର ଭିଡିଓ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଆଶ୍ଚର୍ଯ୍ୟ କଥା, ସେ ୩୦ ଫୁଟ୍‌ ଉପରୁ ତଳେ ପଡ଼ି ସୁଦ୍ଧା ଖଣ୍ଡିଆଖାବରା ହେଲେ ନାହିଁ। ତୁରନ୍ତ ଉଠିପଡ଼ି ସାଙ୍ଗ ମେଳକୁ ଚାଲିଗଲେ।

Also Read  ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା