ଗର୍ଭବତୀ ସ୍ତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଫିଙ୍ଗି ଦେଲେ ସ୍ୱାମୀ

0
5612

ଲକ୍ଷ୍ନୌ,୨୩/୦୩: ଉତ୍ତର ପ୍ରଦେଶ ଗୋଣ୍ଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ରାତିରେ ଚଳନ୍ତା ଟ୍ରେନରୁ ନିଜର ଗର୍ଭବତୀ ସ୍ତ୍ରୀଙ୍କୁ ଫିଙ୍ଗିଦେଇଛି। ଗଭୀର ଆହାତ ଅବସ୍ଥାରେ ସ୍ତ୍ରୀ ଟ୍ରାକ ପାଖରେ ଛଟପଟ୍‌ ହେଉଥିଲେ। ସକାଳେ କିଛି ଲୋକ ରକ୍ତାକ୍ତ ଅବସ୍ଥାରେ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ମହିଳାଙ୍କ ଚିକିତ୍ସା ପାଇଁ ସିଏଚସି ହସ୍ପିଟାଲକୁ ନେଇଯାଇଥିଲେ ସ୍ଥାନୀୟ ଲୋକେ। ଏନେଇ ମଙ୍ଗଳବାର ଅଭିଯୁକ୍ତ ସ୍ୱାମୀ ଓ ପରିବାରର କିଛି ସଦସ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଦଫା ଲାଗାଇ ମାମଲା ରୁଜୁ କରିଛି ପୁଲିସ।

ପୀଡ଼ିତା ମହିଳା ଜଣକ ପୁଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ଚଳନ୍ତା ଟ୍ରେନରେ ତାଙ୍କର ଗଳା ଚିପି ଦେଇଥିଲେ। ଏହାପରେ ଚଳନ୍ତା ଟ୍ରେନରୁ ତଳକୁ ଫିଙ୍ଗି ଦେଇଥିଲେ। ଯେତେବେଳେ ତାଙ୍କର ଚେତା ଆସିଥିଲା ସେ ଜାଣିବାକୁ ପାଇଥିଲେ ଯେ ଟ୍ରାକ ପାଖରେ ପଡ଼ିଛନ୍ତି। ଜିଲ୍ଲା ମହିଳା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳା ନେହା କହିଛନ୍ତି ଯେ ସେ ପଞ୍ଜାବ ଲୁଧିଆନା ଜିଲ୍ଲାର ଲକ୍ଷ୍ମୀନଗରରେ ରୁହନ୍ତି। ସେଠାରେ ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟର ଶିକ୍ଷୟତ୍ରୀ ରହିଥିଲେ।

ଏହି ଇନଷ୍ଟିଚ୍ୟୁଟରେ ଜ୍ଞାନଚନ୍ଦ ଶର୍ମା ମଧ୍ୟ ଶିକ୍ଷକ ରହିଥିଲେ। ଏହା ପରେ ଦୁଇ ଜଣଙ୍କ ମଧ୍ୟ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଓ ସେମାନେ କୋର୍ଟରେ ବିବାହ କରିଥିଲେ। ୨୦୨୧ ନଭେମ୍ୱରରେ ଜ୍ଞାନଚନ୍ଦ ତାଙ୍କୁ ନେଇ ଘରକୁ ଯାଇଥିଲେ। ପୀଡ଼ିତା କହିଛନ୍ତି ଯେ ବିବାହର କିଛି ଦିନ ପରେ ତାଙ୍କ ସ୍ୱାମୀ ଛୋଟ ଛୋଟ କଥାକୁ ନେଇ ଝଗଡ଼ା କରୁଥିଲେ। ଏହାରି ଭିତରେ ଦିନେ ସେ କହିଥିଲେ ଯେ ଲକ୍ଷ୍ନୌ ଏକାସହିତ ରହିବେ।

ନେହା ଆହୁରି କହିଛନ୍ତି ପରିବାର ଲୋକେ ଛୋଟ ଛୋଟ କଥାରେ ହଇରାଣ ହରକତ କରୁଥିଲେ। ଶାଶୁଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରୁଥିଲେ। ଏହାକୁ ସହି ନପାରି ଦିନେ କିରୋସିନି ତେଲ ଢା଼ଳି ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଲକ୍ଷ୍ନୌ ଯିବା ବାହାନା କରି ତାଙ୍କ ସ୍ୱାମୀ ମନକାପୁର ଷ୍ଟେସନରେ ମହିଳାଙ୍କ ଗଳା ଚିପି ଦେଇଥିଲେ ଫଳରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାପରେ ତାଙ୍କ ସ୍ୱାମୀ ଟ୍ରେନ ତଳକୁ ଠେଲି ଦେଇଥିଲେ।

Also Read  ଦୀର୍ଘ ୨ ବର୍ଷ ପରେ ହଟିଲା କଟକଣା, ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ