ଗାଁକୁ ଫେରିବା ଆରମ୍ଭ କରିଛନ୍ତି କୃଷକ : ପ୍ରତିବାଦସ୍ଥଳରୁ ବାରିକେଡ୍‌ ହଟାଇବ ପୁଲିସ

0
635
ଗାଁକୁ ଫେରିବା ଆରମ୍ଭ କରିଛନ୍ତି କୃଷକ
ଗାଁକୁ ଫେରିବା ଆରମ୍ଭ କରିଛନ୍ତି କୃଷକ

ଗାଁ କୁ ଫେରିବା ଆରମ୍ଭ କରିଛନ୍ତି କୃଷକ

ଚଣ୍ଡୀଗଡ଼: ଦୀର୍ଘ ୧୫ ମାସ ଧରି ଚଳାଇଥିବା ପ୍ରତିବାଦର ଅବସାନ ଘଟାଇ ଆଜି ଦିଲ୍ଲୀର ସିଙ୍ଘୁ, ଟିକ୍ରି ଏବଂ ଗାଜିପୁର ସୀମାନ୍ତରୁ କୃଷକମାନେ ପଞ୍ଜାବ ଏବଂ ହରିୟାଣାରେ ଥିବା ସେମାନଙ୍କ ଗାଁକୁ ଫେରିବା ଆରମ୍ଭ କରିଛନ୍ତି। ପୁଲିସ କର୍ମଚାରୀମାନେ ମଧ୍ୟ ସେ ସ୍ଥାନରୁ ବାରିକେଡ୍‌ ହଟାଇବାକୁ ବ୍ୟବସ୍ଥା କରୁଛନ୍ତି।

ଆଜି ସକାଳେ ‘ଭାରତୀୟ କିଷାନ୍‌ ୟୁନିୟନ୍‌’ର ନେତା ରାକେଶ ଟିକାୟତ ଗାଜିପୁର ସୀମାନ୍ତରେ ପତାକା ହଲାଇ ପ୍ରଥମ ଛେକ କୃଷକମାନଙ୍କ ଘରବାହୁଡ଼ାର ଶୁଭାରମ୍ଭ କରିଥିଲେ। ଏହି ପ୍ରଥମ କୃଷକ ଦଳ ଉତ୍ତର ପ୍ରଦେଶର ବିଜନୋର୍‌ ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା କରିଛନ୍ତି। ଯିବା ପୂର୍ବରୁ ସେମାନେ ପକାଇ ଥିବା ଡେରା ଉଠାଇବା ଆରମ୍ଭ କରିଥିଲେ।

ଏକଦା ଚଳଚଞ୍ଚଳ ଥିବା ପ୍ରତିବାଦସ୍ଥଳରେ ଏବେ ଶିଡ଼ି, ପାଲ, ଖୁଣ୍ଟ ଏବଂ ଦଉଡ଼ି ଆଦି ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିବା ବେଳେ କମ୍ବଳ, ମସିଣା ଏବଂ ଚେୟାର ସବୁକୁ ରାସ୍ତାପାର୍ଶ୍ବରେ ସଜାଡ଼ି ରଖାଯାଇଛି। ଏଥିସହ, କେତେକ କୃଷକ ଆଖପାଖ ଗାଁରେ ଥିବା ଗରିବ ଲୋକମାନଙ୍କୁ କିଛି ସାମଗ୍ରୀ ଦେଇ ଦେଉଛନ୍ତି। ଥରକୁ ଥର ବଡ଼ ପାଟିରେ ‘ବୋଲେ ସୋ ନିହାଲ୍‌’ କହିବା ସହ ବିଜୟ ସଙ୍ଗୀତ ବଜାଇ କୃଷକମାନେ ରଙ୍ଗିନ ଆଲୋକମାଳାରେ ସଜ୍ଜିତ ଟ୍ରାକ୍ଟର୍‌ରେ ସେମାନେ ଗୃହାଭିମୁଖୀ ହୋଇଛନ୍ତି। ବହୁସଂଖ୍ୟକ ଟ୍ରାକ୍ଟର୍‌ ଯାତାୟାତ କରୁଥିବାରୁ ସେ ଅଞ୍ଚଳ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ଭଳି ସମସ୍ୟା ସୃଷ୍ଟି ହୋଇଛି। ସେମାନଙ୍କୁ ଅଭିନନ୍ଦନ ଜଣାଇବାକୁ ରାଜପଥର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଗାଜିପୁର ସୀମାନ୍ତରେ ‘ଭାରତୀୟ କିଷାନ୍‌ ୟୁନିୟନ୍‌’ର ନେତା ରାକେଶ ଟିକାୟତ କହିଛନ୍ତି, ଆସନ୍ତାକାଲି ସକାଳ ୮ଠାରେ ବିପୁଳସଂଖ୍ୟକ କୃଷକ ଏ ଅଞ୍ଚଳ ଛାଡ଼ି ଚାଲିଯିବେ। ଆଜିର ସଭାରେ ଆମେ ଆଲୋଚନା କରିବୁ, ପ୍ରାର୍ଥନା କରିବୁ ଓ ଆମକୁ ସହଯୋଗ କରିଥିବା ଲୋକମାନଙ୍କୁ ଭେଟିବୁ। କୃଷକମାନେ ଏ ସ୍ଥାନ ଛାଡ଼ିବା ଆରମ୍ଭ କଲେଣି। ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ପାଇଁ ୪/୫ ଦିନ ଲାଗିବ। ମୁଁ ଡିସେମ୍ବର ୧୫ ତାରିଖରେ ଯିବି। ଏବଂ, ସରକାର ପ୍ରତିଶ୍ରୁତି ନ ରଖିଲେ ଆମେ ପୁଣି ଫେରି ଆସିବୁ।

Also Read  ଭାରତୀୟ ପାଇଲଟ ହେଲିକପ୍ଟର ଉଡ଼େଇ ଜାଣିନାହାନ୍ତି : ଚୀନ ଗଣମାଧ୍ୟମ