ଛାତ୍ର କଂଗ୍ରେସର ମନେ ନାହିଁ ବ୍ରଜରାଜନଗର ବିଧାନସଭା ମତଦାନ ତାରିଖ

0
411
aicc-calls-all-nine-mlas-from-odisha-to-delhi

ଭୁବନେଶ୍ୱର: ପିଲା ପରୀକ୍ଷା ତାରିଖ କେବେ ଭୁଲନ୍ତି ନାହିଁ । ରାଜନେତା ଏବଂ ରାଜନୈତିକ ଦଳ ଭୁଲନ୍ତି ନାହିଁ କେବେ କେଉଁଠି ଭୋଟ୍ ପଡ଼ିବ । କାରଣ ଏହି ଗୋଟିଏ ଦିନରେ ହିଁ ଲୋକଙ୍କ ମତଦାନ ସାବ୍ୟସ୍ତ କରି ଦେବ ସେମାନେ କ୍ଷମତାରେ ରହିବେ କି ନାହିଁ । ତେବେ ରାଜ୍ୟର ଛାତ୍ର କଂଗ୍ରେସ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁଥିରେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ତାରିଖ ଭୁଲ୍ ରହିଛି।

ବୁଧବାର ଛାତ୍ର କଂଗ୍ରେସ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରଚାର ତାଲିକା ଘୋଷଣା କରିଛି । ବିଧାୟକ ପ୍ରାର୍ଥୀ କିଶୋର ପଟେଲଙ୍କ ପ୍ରଚାର କରିବେ ଏହି ଛାତ୍ର ତଥା ଯୁବ କଂଗ୍ରେସ ନେତା । ଯେଉଁଥିରେ ଉଲ୍ଲେଖ ରହିଛି ମେ 30ରେ ଭୋଟ୍ ପଡ଼ିବ । ଯାହାକି ରାଜ୍ୟର ସବୁଠୁ ପୁରୁଣା ଦଳ ତଥା ବିରୋଧୀ କଂଗ୍ରେସ ପାଖରୁ କେବେ ଆଶା କରାଯାଏନି । ଅନ୍ୟପଟେ ଛାତ୍ର କଂଗ୍ରେସ ଯେଉଁ ପ୍ରଚାର ତାଲିକା ପ୍ରକାଶ କରିଛି ସେଥିରେ ଓଡିଶା ଛାତ୍ର କଂଗ୍ରେସର ସଭାପତି ୟାସିର ନଓ୍ୱାଜଙ୍କ ନାଁ ଉଲ୍ଲେଖ ନାହିଁ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ବିଜେପିର ରାଜ୍ୟ ସଭାପତି, 5 କେନ୍ଦ୍ରମନ୍ତ୍ରୀ ପ୍ରଚାର ପାଇଁ ଆସିବେ ବୋଲି ସ୍ଥିର ହୋଇଥିବା ବେଳେ ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନେକ ବିଧାୟକ, ସାଂସଦ ଓ ମନ୍ତ୍ରୀ ବ୍ରଜରାଜନଗର ଯାଇ ପ୍ରଚାର କରିବେ ବୋଲି ସ୍ଥିର ହୋଇଛି। ହେଲେ କଂଗ୍ରେସ ଏଯାବତ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ପ୍ରଚାର କରିବାକୁ ଥିବା ନେତାଙ୍କ ନାମ ଘୋଷଣା କରିନି।

ନିକଟରେ ରାଜସ୍ଥାନ ଉଦୟପୁରରେ ଚିନ୍ତନ ଶିବିରରେ ଯୋଗ ଦେଇ ଫେରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ବିମାନ ବନ୍ଦରରେ ପ୍ରତିକ୍ରିୟା ଦେବା ବେଳେ କହିଥିଲେ ବ୍ରଜରାଜନଗରରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ସେ ମଧ୍ୟ ପ୍ରଚାର ପାଇଁ ଯିବେ । ଆବଶ୍ୟକ ପଡିଲେ ବଡ ନେତା ଆସିବେ।
ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ମେ 31ରେ ଭୋଟ୍ ପଡିବ। ଜୁନ୍ 3ରେ ଫଳାଫଳ ପ୍ରକାଶ ପାଇବ ।

Also Read  ପଞ୍ଜାବ ଘଟଣାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ