ନୂଆଦିଲ୍ଲୀ : ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଵାଡ୍ ସମିତିରେ ଯୋଗ ଦେବାକୁ ସେ ଜାପାନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କର ଭବ୍ୟ ସ୍ଵାଗତ କରାଯାଇଛି। ତେବେ ମୋଦିଙ୍କ ଜାପାନ ଗସ୍ତ ଖୁବ୍ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ମୋଦି ଏନେଇ ଟ୍ଵିଟ୍ କରି କହିଛନ୍ତି ଯେ, ଆମର ଶାନ୍ତି, ସ୍ଥିରତା, ଏବଂ ସମୃଦ୍ଧତା ପାଇଁ ଏହା ଏକ ସହଭାଗୀତା। ୭୦ ବର୍ଷ ପୂରଣ କରିଥିବା ଏହି ବନ୍ଧୁତ୍ଵ ଯାତ୍ରାକୁ ମୁଁ ଆଗକୁ ନେଉଛି।
ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି ଯେ, କରୋନା ପରବର୍ତ୍ତୀ ବିଶ୍ୱରେ ଭାରତ-ଜାପାନ ସହଭାଗୀତା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଉଭୟ ଦେଶ ଦୃଢ ଭାବରେ ପ୍ରତିବଦ୍ଧ। ଏତଦ୍ ବ୍ୟତୀତ ଦୁଇ ଦେଶ ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ଏକ ସହ ମିଶି କାମ କରିଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରୁ ଜାପାନୀ ଲୋକଙ୍କ ସହ ନିୟମିତ ବାର୍ତ୍ତାଳାପ କରିବାକୁ ମୋତେ ସୁଯୋଗ ମିଳିଥିଲା। ଜାପାନର ବିକାଶତ୍ମକ ପ୍ରଗତି ସର୍ବଦା ପ୍ରଶଂସନୀୟ। ଜାପାନର ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଷ୍ଟାର୍ଟ ଅପ୍ ଇତ୍ୟାଦି ପ୍ରମୁଖ କ୍ଷେତ୍ରରେ ଭାରତ ଅଂଶଗ୍ରହଣ କରୁଛି।
ପ୍ରଧାନମନ୍ତ୍ରୀ ମୋଦି ପୁଣି ଲେଖିଛନ୍ତି ଯେ, ଭାରତ ଏବଂ ଜାପାନ ମଧ୍ୟରେ ଅର୍ଥନୈତିକ ସହଯୋଗ ଆମର ସ୍ଵତନ୍ତ୍ର ସାମରିକ ଏବଂ ଗ୍ଲୋବାଲ ପାର୍ଟନରସିପ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ମାର୍ଚ୍ଚ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କିଶିଦା ଏବଂ ମୁଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଜାପାନରୁ ଭାରତକୁ ସରକାରୀ ତଥା ବେସରକାରୀ ପୁଞ୍ଜି ବିନିଯୋଗରେ ୫ ଲକ୍ଷ କୋଟି ଟଙ୍କା ପ୍ରାପ୍ତ କରିବାକୁ ଆମର ଉଦ୍ଦେଶ୍ୟ ଘୋଷଣା କରିଥିଲୁ। ଆଗାମୀ ଗସ୍ତ ସମୟରେ, ମୁଁ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବାର ଲକ୍ଷ୍ୟ ନେଇ ଜାପାନର ବ୍ୟବସାୟିକ ନେତାମାନଙ୍କୁ ଭେଟିବି।

























