ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ପୁରୀ ଏସଡିଜେଏମ କୋର୍ଟ

0
318

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ଝଟ୍‌କା ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ। ଅଦାଲତ ଏହି ମାମଲାରେ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୁରୀ ଓକିଲ ସଂଘ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍‌ ମାମଲା ରୁଜୁ କରି ନଥିଲା। ଏଏସଆଇର ବିନାନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ହେତୁ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ବିରୋଧରେ ସିଆରପିସି ଓ ଅମସାରା ଆଇନ ଅଧିନରେ ଅପରାଧିକ ମାମଲା ରୁଜୁ କରିବ‌ାକୁ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ପୁରୀ ଏସଡିଜେଏମ୍ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ କରି କୋର୍ଟ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇ ନିର୍ମାଣ ନିମନ୍ତେ କୌଣସି ଅନୁମତି ଦିଆଯାଇ ନଥିବା କୁହାଯାଇଥିଲା।

ଏପଟେ ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଖନନସ୍ଥଳ ପରିଦର୍ଶନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ ଅନ୍ୟ ବିଜେପି ନେତାଙ୍କ ମିଶି ଖନନ ସ୍ଥଳ ପରିଦର୍ଶନ କରିବା ସହ ନିର୍ମାଣ ଓ ଖନନ କାର୍ଯ୍ୟକୁ ବିରୋଧ କରିଛନ୍ତି। ସେ ଗଣମାଧ୍ୟମରେ ନିଜର ମତ ରଖି ସରକାରଙ୍କୁ ନିନ୍ଦା କରିଛନ୍ତି। ଶ୍ରୀମନ୍ଦିରକୁ ସରକାର ଜାଣିଶୁଣି ବିପଦ ଭିତରକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଜଗନ୍ନାଥଙ୍କୁ ହାତରେ ଧରି ରାଜ୍ୟ ସରକାର ଜଗନ୍ନାଥଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ସମ୍ବିତ କହିଛନ୍ତି। ଖାଲି ସେତିକି ନୁହେଁ, ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ଜଗନ୍ନାଥ ଭଲ ବୁଦ୍ଧି ଦିଅନ୍ତୁ ବୋଲି ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିମାସ ଧରି ବାଦବିବାଦ ଲାଗି ରହିଛି। ପରିକ୍ରମା ପ୍ରକଳ୍ପ ଆଳରେ ଆମ୍‌ସାର ଆଇନକୁ ଖୋଲା ଉଲ୍ଲଂଘନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧିରେ ଯେଉଁଭଳି ଖନନ ଓ ନିର୍ମାଣ ଚାଲିଛି, ତାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗ ହୋଇ ଆସୁଛି। ନିଷିଦ୍ଧାଞ୍ଚଳରେ ଏକ୍ସାଭେଟର, ଜେସିବି ଆଦି ବଡ଼ ବଡ଼ ଯନ୍ତ୍ରାଂଶରେ ଖନନ ଫଳରେ ଶ୍ରୀମନ୍ଦିର ନାଟମଣ୍ଡପ, ବେହେରଣ ଦ୍ବାର, ଘଣ୍ଟିଦ୍ବାର ଆଦି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଛି।

Also Read  ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଭରିଲେ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭା

LEAVE A REPLY

Please enter your comment!
Please enter your name here