ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କ ବୟସ କମାଅ : ଆୟୋଗ

0
454
ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କ ବୟସ କମାଅ
ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କ ବୟସ କମାଅ

ଭୁବନେଶ୍ୱର: ଝିଅଙ୍କର ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରସ୍ତାବର ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଉଭୟ ଝିଅ ଓ ପୁଅଙ୍କ ବିବାହ ବୟସ ୧୮ ରଖିବାକୁ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ତଥା ଯୁବ କ୍ରୀଡାର ସଂସଦୀୟ କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ସେ କହିଛନ୍ତି , ବିବାହ ବୟସ ୨୧ ବର୍ଷ ବୟସକୁ ବୃଦ୍ଧି କରାଗଲେ ବିବାହ ବନ୍ଦ ହେବ ନାହିଁ ବରଂ ଆଇନ, ପରମ୍ପରା ଓ ଚଳଣି ଚାପଗ୍ରସ୍ତ ହେବ । ଏହା ବଦଳରେ ବାଲ୍ୟ ବିବାହ ରୋକିବାକୁ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି ଆୟୋଗ ।

ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ଚିଠିରେ ଲେଖିଛନ୍ତି, ସାମ୍ବିଧାନିକ ବିଧି ଅନୁସାରେ ୧୮ ବର୍ଷରୁ ଅଧିକ ପୁଅ-ଝିଅଙ୍କ ଶାରୀରିକ ସମ୍ପର୍କ ବୈଧ । ଦୁଇଜଣ ୧୮ ବର୍ଷରୁ ଶାରୀରିକ ସମ୍ପର୍କ ରଖିବେ, କିନ୍ତୁ ବିବାହ କରିବାକୁ ୨୧ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିବ । ଏଭଳି ସ୍ଥିତିରେ ଅନେକ ଅବିବାହିତ ମାଆ ହେବେ। ଏଭଳି ହେଲେ ପରିତ୍ୟକ୍ତ ଶିଶୁ ସମସ୍ୟା ବଢିବ । ୧୮ ବର୍ଷ ନ ହେଉଣୁ ଦେଶରେ ୨୩.୩% ଝିଅ ବାଲ୍ୟ ବିବାହ କରୁଛନ୍ତି । ୨୦୧୮ରେ ୫୦୧, ୨୦୧୯ରେ ୫୨୩ ଓ ୨୦୨୦ ଏହା ୭୮୫କୁ ବୃଦ୍ଧି ପାଇଛି ।

୨୦୦୬ ମସିହାରେ ଏହିଭଳି ଏକ ସ୍ଥିତି ଉପୁଜିଥିଲା ଯେଉଁଥିରେ ଜାତୀୟ ମହିଳା କମିସନ ଏବଂ ରାଜ୍ୟ ମହିଳା କମିସନ ଦିଲ୍ଲୀ ପକ୍ଷରୁ ଶିଶୁର ସଂଜ୍ଞା ସ୍ପଷ୍ଟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାୟର କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ୨୦୦୮ ମସିହାରେ ଆଇନ କମିସନ ପକ୍ଷରୁ ଉଭୟ ଝିଅ ଏବଂ ପୁଅ ପାଇଁ ବିବାହ ବୟସ ୧୮ କରିବାକୁ ସୁପାରିସ କରାଯାଇଥିଲା । ବାଲ୍ୟ ବିବାହ ନିରୋଧ ବିଲ୍‌ ୨୦୦୪ ଲୋକସଭାରେ ଆଗତ ବେଳେ ଉଭୟ ଝିଅ ଏବଂ ପୁଅଙ୍କ ବିବାହ ବୟସ ୧୮ କରାଯିବାକୁ ସଂସଦୀୟ କମିଟି ସୁପାରିସ କରିଥିଲା। ମାତ୍ର ଏହାକୁ ସେତେବେଳେ ଗ୍ରହଣ ନକରି ପୁଅର ବୟସ ୨୧ ଏବଂ ଝିଅର ୧୮ ବର୍ଷ ରଖିଥିଲା ।

Also Read  କମଲ ହାସନ କରୋନା ରେ ଆକ୍ରାନ୍ତ ହେଇ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି