ଟିକାକରଣରେ ଇତିହାସ ରଚିଲା ଭାରତ : ଉତ୍ସବ ପାଳିବ ଭାରତ

0
566
Corona vaccination in all colleges of odisha

ସୃଷ୍ଟି ହେଲା ନୂଆ କୀର୍ତ୍ତିମାନ,୧୦୦ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ , ୨୧ା୧୦: ଇତିହାସ ରଚିଲା ଭାରତ । ସ୍ଥାପନ କଲା ନୂଆ ମାଇଲଖୁଣ୍ଟ । ଏହି ସଫଳତା ସହ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ଯେଉଁଠି ଏତେ ଦ୍ରୁତ ଗତିରେ ଟିକାକରଣ ୧୦୦ କୋଟି ଟପିଛି। ଏହି ସଫଳତା ପରେ ଟୁଇଟ କରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ସେ ଲେଖିଛନ୍ତି ‘ଅଭିନନ୍ଦନ ଭାରତ । ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱର ଏହା ହେଉଛି ଫଳାଫଳ।

ଏତେ ବଡ଼ ସଫଳତା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ଆଜି ଆରଏମଏଲ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅନେକ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଭାରତକୁ ଏତେ ବଡ଼ ସଫଳତା ମିଳିବା ପରେ ଏହି ଦିନକୁ ଖବୁ ଧୁମଧାମରେ ପାଳନ କରିବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। କରୋନା ଟିକାକରଣ ୧୦୦ କୋଟି ଟପିବା ପରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଏକ ଗୀତ ଏବଂ ଲାଲକିଲ୍ଲାରେ ଏକ ଅଡିଓ-ଭିଜୁଆଲ୍ ଫିଲ୍ମ ଲଞ୍ଚ କରିବେ। ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍‌ ଯୋଗେ ଏ ସଂପର୍କରେ ଘୋଷଣା ହେବ। ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ। ବିଜେପିର ନେତାମାନେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଟିକାକରଣ କେନ୍ଦ୍ରକୁ ଯିବେ। ଦଳର ସାଧାରଣ ସଂପାଦକ ଅରୁଣ ସିଂ ଏବଂ ଡି. ଗୌତମ ଯଥାକ୍ରମେ ତାମିଲନାଡ଼ୁର କୋଏମ୍ବାଟୁର ଏବଂ ଉତ୍ତରପ୍ରଦେଶର ଲ‌କ୍ଷ୍ନୌ ଗସ୍ତ କରିବେ।

ଅନ୍ୟପକ୍ଷରେ, ଏହି ମାଇଲଖୁଣ୍ଟ ହାସଲ କରିଥିବାରୁ ଭାରତକୁ ଅଭିନନ୍ଦନ ଜଣାଇ ‘ହୁ’ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତକୁ ଶୁଭେଚ୍ଛା‌। ଦୃଢ଼ ରାଜନୈତିକ ନେତୃତ୍ୱ, ଅନ୍ତଃବିଭାଗୀୟ ସମନ୍ବୟ ଏବଂ ସମଗ୍ର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମ ବିନା ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଅସାଧାରଣ କାମ କରିବା ସମ୍ଭବ ନୁହେଁ। ଉଲ୍ଲେଖଯୋଗ୍ୟ, ଦେଶରେ ଟିକାକରଣ ଅଭିଯାନ ଜାନୁଆରି ମାସରେ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଆରମ୍ଭ ହେବାର ୯ ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦ କୋଟି ଟିକାର ମାଇଲଖୁଣ୍ଟ ହାସଲ କରିଛି।

 

Also Read  Bharat Biotech's Covaxin gets WHO approval for Emergency Use Listing