ଡାକ୍ତରଙ୍କ ଦାୟିତ୍ୱହୀନତା: ପ୍ରସୂତିଙ୍କ ପେଟରେ ରଖିଦେଲେ ଗଜକନା

0
582

ଯାଜପୁରସଦର : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପୁଣି ଏକ ଅବହେଳା ସାମ୍‌ନାକୁ ଆସିଛି। ଜଣେ ପ୍ରସୂତିଙ୍କ ପେଟରେ ଗଜକନା ଛାଡ଼ିଦେଇଛନ୍ତି ଡାକ୍ତର। ୫ ଦିନ ତଳେ ସେ ଡାକ୍ତରଖାନାରୁ ଘରକୁ ଯାଇଥିଲେ। ପେଟରେ ଯନ୍ତ୍ରଣା ହେବାରୁ ପୁଣି ଡାକ୍ତରଖାନା ଆସିଥିଲେ। ଏବେ ତାଙ୍କ ତଳିପେଟରୁ ୨ ବିଣ୍ଡା ଗଜକନା ବାହାରିଛି।

ଗତ ୧ ତାରିଖରେ ଯାଜପୁର ବ୍ଲକ୍ ଗଣେଶ୍ୱରପୁର ଅଞ୍ଚଳର ଅସିତ କୁମାର ମିଶ୍ରଙ୍କ ପତ୍ନୀ ସଂଗୀତା ମିଶ୍ର(୨୯)ଙ୍କୁ ପ୍ରସବ ବେଦନା ହେବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ଡାକ୍ତର କ୍ଷେତ୍ରବାସୀ ଥାଟୋଇ ନର୍ସଙ୍କ ସହାୟତାରେ ତାଙ୍କର ପ୍ରସବ କରାଇଥିଲେ। ଡାକ୍ତରଖାନାରେ ତିନିଦିନ ରହିବା ପରେ ତାଙ୍କୁ ଘରକୁ ଛଡ଼ାଯାଇଥିଲା। ଘରକୁ ଯିବାର ତିନିଚାରି ଦିନ ପରେ ସଂଗୀତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

ଏହା ଅସହ୍ୟ ହେବାରୁ ଆଜି ସଂଗୀତା ପୁନର୍ବାର ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସି ପରୀକ୍ଷା କରାଇଥିଲେ। ତାଙ୍କ ତଳିପେଟରେ ଦୁଇଟି ଗଜକନା ରହି ଯାଇଥିବା ଜଣାପଡ଼ିଥିଲା। ଡାକ୍ତର ନିରଂଜନ ପତି ପୁନର୍ବାର ଷ୍ଟିଚ୍‌ ଖୋଲି ୨ ବିଣ୍ଡା ଗଜ କନା ବାହାର କରିଥିଲେ। ଡାକ୍ତର ଥାଟୋଇଙ୍କ ଅବହେଳା ଓ ଦାୟିତ୍ବହୀନତାରୁ ସଂଗୀତା ଅସହ୍ୟ ଯନ୍ତ୍ରଣା ଭୋଗିଥିବାରୁ ତାଙ୍କ ଦିଅର ଓ ବାପା ଏନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏପରିକି ସଂଗୀତାଙ୍କ ପ୍ରସବ ସମୟରେ ଅର୍ଥ ନେଇଥିବାର ଅଭିଯୋଗ ଉଠାଇଥିଲେ।

ସରକାରୀ ଡାକ୍ତରଖାନାରେ ସବୁ ସେବା ମାଗଣାରେ ମିଳିବ ବୋଲି ସରକାର ପ୍ରଚାର କରୁଥିବା ବେଳେ ମୋଟାଦରମା ପାଉଥିବା ଡାକ୍ତର ଓ କର୍ମଚାରୀ ରୋଗୀଙ୍କୁ ଶୋଷଣ କରିବାକୁ ପଛାଉ ନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାତ୍ରିକାଳୀନ ଡାକ୍ତରୀ ସେବା ନେଇ ଦେଖା ଦେଇଥିବା ବିବାଦ ସମାଧାନ ପରେ ଏବେ ଜଣେ ପ୍ରସୂତି ବିଶେଷଜ୍ଞଙ୍କ ଖାମଖିଆଲି ଚିକିତ୍ସାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Also Read  ପଦ୍ମଶ୍ରୀ ନନ୍ଦ ସାରଙ୍କ ପରଲୋକ: ୧୦୪ ବର୍ଷ ବୟସରେ ଦେହାନ୍ତ