ଦିଘାରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ

0
123
ଦିଘାରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ
ଦିଘାରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ

ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ଘାଟନ କରିପାରନ୍ତି

143 କୋଟି ଟଙ୍କାରେ ନିର୍ମାଣ କରାଯାଇଛି ମନ୍ଦିର

ଭୁବନେଶ୍ୱର: ଜୁନ ୨୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁଲାଇ ପ୍ରଥମ ସପ୍ତାହରେ ପୂର୍ବ ମେଦିନୀପୁର ଜିଲ୍ଲାର ଉପକୂଳବର୍ତ୍ତୀ ଦିଘାରେ ଏକ ଜଗନ୍ନାଥ ମନ୍ଦିରର ଉଦଘାଟନ କରିବାକୁ ଯାଉଛନ୍ତି। ରାଜ୍ୟ ପ୍ରଶାସନର ସୂତ୍ରରୁ ପ୍ରକାଶ ଯେ ଜୁଲାଇ ୭ ରେ ରଥଯାତ୍ରା ଅବସରରେ ଏହି ମନ୍ଦିରର ଉଦଘାଟନ କରିପାରନ୍ତି ।

“ମନ୍ଦିର ବର୍ତ୍ତମାନ ଉଦ୍ଘାଟନ ପାଇଁ ପ୍ରସ୍ତୁତ ଅଛି। ଆମେ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରିଛୁ | ଏହା ପାଇବା ପରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ତାରିଖ ଘୋଷଣା କରିବୁ ବୋଲି ଜଣେ ରାଜ୍ୟ ସରକାରୀ ଅଧିକାରୀ କହିଛନ୍ତି। ‘

ଓଡିଶାର ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମିତ ଜଗନ୍ନାଥ ମନ୍ଦିର ନୂଆ ଦିଘା ରେଳ ଷ୍ଟେସନ ନିକଟରେ ଥିବା ସମୁଦ୍ର କୂଳରେ ଅବସ୍ଥିତ। 22 ଏକର ଜମି ଉପରେ ହୋଇଥିବା ଏହି ମନ୍ଦିର, 143 କୋଟି ଟଙ୍କାରେ ନିର୍ମାଣ କରାଯାଇଛି ବୋଲି ରାଜ୍ୟ ସହରାଞ୍ଚଳ ବିକାଶ ବିଭାଗ ସୂତ୍ରରୁ ପ୍ରକାଶ। ଜଗନ୍ନାଥ ଧାମ ପଶ୍ଚିମବଙ୍ଗ ହାଉସିଂ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ୍ ଦ୍ୱାରା ନିର୍ମିତ ହୋଇଛି I

ବାନାର୍ଜୀ ୨୦୧୯ ରେ ଓଡିଶାର ବାଲେଶ୍ୱର ଜିଲ୍ଲାର ଚନ୍ଦନଶ୍ୱର ମନ୍ଦିରଠାରୁ ଆଠ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିରର ମୂଳଦୁଆ ପକାଇଥିଲେ। ସେ ଆଶା କରିଛନ୍ତି, ପୁରୀ ପରି ଏଠାରେ ମଧ୍ୟ ଭକ୍ତଙ୍କ ଭିଡ ହେବ ଏବଂ ସମୁଦ୍ର କୂଳରେ ଏହି ମନ୍ଦିର ଥିବାରୁ, ପର୍ଯ୍ୟଟକ ମଧ୍ୟ ଏହାର ଭରପୁର ଆନନ୍ଦ ନେବେ I

ପୁରୀ ବଙ୍ଗୀୟ ଭକ୍ତମାନଙ୍କ ଗୋଟିଏ ଲୋକପ୍ରିୟ ତୀର୍ଥସ୍ଥାନ ଅଟେ ଏବଂ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି | ରଥଯାତ୍ରା ମଧ୍ୟ ସମଗ୍ର ବଙ୍ଗଳାରେ ଏକ ଲୋକପ୍ରିୟ ପର୍ବ |

ଏହା ପ୍ରଥମ ଥର ନୁହେଁ ଯେ ମମତା ଏହିଭଳି ଏକ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ବା ହିନ୍ଦୁଙ୍କ ହୃଦୟ ଜିଣିବା ପାଇଁ ଚେଷ୍ଟା କରିଛନ୍ତି I ମମତା ହିନ୍ଦୁ ବିରୋଧୀ ଏବଂ ମୁସଲିମ ତୁଷ୍ଟିକରଣ ନେଇ କାର୍ଯ୍ୟକରନ୍ତି ବୋଲି ତାଙ୍କ ବିରୋଧରେ କ୍ରମାଗତ ଭାବରେ ଅଭିଯୋଗ ହୋଇଆସୁଥିବା ବେଳେ ସେ ଅନେକ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ମାଧ୍ୟମରେ ସବୁ ବର୍ଗଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି I

Also Read  ପୁରୀ ଜିଲ୍ଲାର ଚାଷୀଙ୍କୁ ‘କାଳିଆ’ ସହାୟତା : ଉପକୃତ ହେବେ ୧,୬୫,୧୩୧ ଚାଷୀ