ଦିଲ୍ଲୀରେ ଓମିକ୍ରନ୍‌ ଭେରିଏଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି

0
638
ଦିଲ୍ଲୀରେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’
ଦିଲ୍ଲୀରେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’

ନୂଆଦିଲ୍ଲୀ: ଜିମ୍ବାୱେରୁ ଫେରିଥିବା ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହେବାରୁ ଆଜି ଦିଲ୍ଲୀରେ ଓମିକ୍ରନ୍‌ କରୋନା ଭାଇରସ୍‌ ଭେରିଏଣ୍ଟ୍‌ର ଦ୍ବିତୀୟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ଚଳିତ ସପ୍ତାହରେ ଜିମ୍ବାୱେରୁ ଦିଲ୍ଲୀ ଫେରିଥିବା ଉକ୍ତ ବ୍ୟକ୍ତିଜଣକ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ତାଙ୍କ ନମୁନାରେ ଥିବା ଭୂତାଣୁର ଗୁଣସୂତ୍ର-କ୍ରମରୁ ଜଣାପଡ଼ିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଯାତ୍ରା ଇତିହାସରୁ ଜଣାପଡ଼ିଛି ଯେ, ସେ ନିକଟ ଅତୀତରେ ଦକ୍ଷିଣ ଆଫ୍ରିକା ଯାଇଥିଲେ। ଜାତୀୟ ରାଜଧାନୀସ୍ଥତ ‘ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ୍‌’ରେ ଥିବା ‘ଓମିକ୍ରନ୍‌’ଦ୍ବାରା ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ପୃଥକ୍‌ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ସରକାରୀ ବିବୃତି ଅନୁସାରେ, ‘ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା ବିଦେଶୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୭ଜଣଙ୍କର ନମୁନାରୁ ଭୂତାଣୁର ଗୁଣସୂତ୍ର-କ୍ରମ ବିଶ୍ଳେଷଣ କରାଯାଇଛି। ସେଥିରୁ ୧୫ଜଣଙ୍କର ନମୁନା ନେଗେଟିଭ୍‌ ଆସିଥିବା ବେଳେ ଦୁଇଜଣଙ୍କ ନମୁନାରେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଚିହ୍ନଟ କରାଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରଥମ ମାମଲା ଚିହ୍ନଟ ‌ହୋଇଥିବା କଥା ଗତ ରବିବାର ଦିନ ପ୍ରଥମେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସ‌େତ୍ୟେନ୍ଦର୍‌ ଜୈନ୍‌ ସୁନିଶ୍ଚିତ କରି କହିଥିଲେ। ଆଜି ଦିଲ୍ଲୀରେ ଚିହ୍ନଟ ହୋଇଥିବା ଦ୍ବିତୀୟ ‘ଓମିକ୍ରନ୍’ ମାମଲାକୁ ମିଶାଇ ଭାରତରେ ସମୁଦାୟ ଏହି ଭେରିଏଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି।

Also Read  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ : କେମିତି ପାଇବେ ମାଗଣା ଚିକିତ୍ସା ? ସ୍ପଷ୍ଟ କଲେ ଆଇଟି ସଚିବ