ଦୁଇ ଦିନିଆ ଓଡ଼ିଶା ଗସ୍ତରେ କାଲି ଆସିବେ ରାଷ୍ଟ୍ରପତି

0
426

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନିଆ ପୁରୀ ଗସ୍ତରେ ଆସି ଫେବ୍ରୁଆରୀ ୧୯ ତାରିଖ ଅପରାହ୍ଣ ୨ଟା ୪୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଞ୍ଚିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଯିବେ । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ବହୁ ବରିଷ୍ଠ ଅଧିକାରୀ ବିମାନବନ୍ଦରରେ ଉପସ୍ଥିତ ରହିବେ । ଏହାପରେ ଅପରାହ୍ଣ ୩ଟା ୩୫ରେ ପୁରୀରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ  ରାଜଭବନ ଯିବେ । ଅପରାହ୍ଣ ୫ଟାରେ ସେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ସେ ଶ୍ରୀମନ୍ଦିରରେ ୪୫ ମିନିଟ୍ ରହିବେ। ସେହିଦିନ ରାତିରେ ସେ ପୁରୀରେ ରହିବେ।

ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ ରାଷ୍ଟ୍ରପତି । ଏକ ସ୍ୱତନ୍ତ୍ର କାରକେଡରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପୁରୀରେ ରାତ୍ରୀଯାପନ ପରେ ତା’ପର ଦିନ ଅର୍ଥାତ୍ ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ସେଠାରେ ସେ ପ୍ରାୟ ୧୫ ମିନିଟ୍ ଧରି ରହିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାଷ୍ଟ୍ରପତି ସିଧା ଶରଧାବାଲି ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍‌ଘାଟନ କରିବେ। ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟକ୍ରମରେ ରହିବେ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଦିନ ନିର୍ବାଚନ ଥିବାରୁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିବେ । ସେପଟେ ଗୌଡିୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ।

Also Read  ପୁନଃ ନାମାଙ୍କନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି

LEAVE A REPLY

Please enter your comment!
Please enter your name here