ପାଟନାରେ ଶୁଭାରମ୍ଭ ହେଲା ଭାରତର ପ୍ରଥମ ଛୁଞ୍ଚିବିହିନ କୋଭିଡ୍‌ ଟିକା ‘ଜାଇକୋଭ୍‌-ଡି’

0
653

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବିହାରର ପାଟନାରେ ଭାରତର ପ୍ରଥମ ଛୁଞ୍ଚିରହିତ କୋଭିଡ୍‌-୧୯ ନିରୋଧୀ ଟିକା ‘ଜାଇକୋଭ୍‌-ଡି’ର ଶୁଭାରମ୍ଭ କରାଯାଇଛି।

ଏହି ପଦ୍ଧତିରେ ଟିକାକରଣ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ୩ଟି ଟିକାକରଣ କେନ୍ଦ୍ରରେ ଆରମ୍ଭ ହୋଇଛି ଏବଂ ଛୁଞ୍ଚି ଫୋଡ଼ା ଭୟରେ ଟିକା ନେଇ ନ ଥିବା ଲୋକେ ଉପକୃତ ହେଉଛନ୍ତି ବୋଲି ସିଭିଲ୍‌ ସର୍ଜନ୍‌ ଡାକ୍ତର ବିଭା ସିଂହ କହିଛନ୍ତି। ପ୍ରାପ୍ତ ରିପୋର୍ଟ ଅନୁସାରେ, ପାଟଳିପୁତ୍ର ସ୍ପୋର୍ଟସ୍‌ କମ୍ପ୍ଲେକ୍ସ୍‌, ପଲିଟେକ୍‌ନିକ୍‌ କଲେଜ୍‌ ଏବଂ ଗୁରୁନାନକ ଭବନରେ ଏହି ଟିକା ଦାନ କେନ୍ଦ୍ର ଖୋଲିଛି।

କୋଭାକ୍ସିନ୍‌’ ପରେ ‘ଜାଇକୋଭ୍‌-ଡି’ ହେଉଛି ଭାରତର ଦ୍ବିତୀୟ ସ୍ବଦେଶୀ ଟିକା। ପ୍ଲାଜ୍‌ମିଡ୍‌ ଡିଏନ୍‌ଏ ପ୍ଲାଟ୍‌ଫର୍ମରେ ବିକଶିତ କରାଯାଇଥିବାରୁ ଏହି ଛୁଞ୍ଚିରହିତ ଟିକାର ଅଭିନବତ୍ବ ରହିଛି। ୧୨ ରୁ ୧୫ ବର୍ଷ ବୟସ୍କ ପିଲାଙ୍କ ଦିଆଯିବା ପାଇଁ ମଞ୍ଜୁରି ମିଳିଥିଲେ ବି ଭାରତରେ ପ୍ରଥମେ ପ୍ରାପ୍ତ ବୟସ୍କମାନଙ୍କୁ ‘ଜାଇକୋଭ୍‌-ଡି’ ଦିଆଯାଉଛି।

‘ଜାଇଡସ୍‌ କେଡିଲା’ ଔଷଧ କମ୍ପାନିଦ୍ବାରା ନିର୍ମିତ ‘ଜାଇକୋଭ୍‌-ଡି’ ୨୮ ଏବଂ ୫୬ ଦିନ ବ୍ୟବଧାନରେ ୩ଟି ଡୋଜ୍‌ରେ ଦିଆଯାଏ। ପ୍ରତି ଡୋଜ୍‌ ଟିକା ଡାହାଣ ଓ ବାମ ହାତରେ ୨ ଥରରେ ଦିଆଯାଏ। ଅର୍ଥାତ୍‌, ଟିକା ଡୋଜ୍‌ ପୂର୍ଣ୍ଣ କରିବାକୁ (୩ ଡୋଜ୍‌) ଜଣେ ବ୍ୟକ୍ତିଙ୍କୁ ୬ଥର ଟିକା ନେବାକୁ ପଡ଼ିବ।

Also Read  ଆଜି ପବିତ୍ର ଶ୍ରୀରାମ ନବମୀ; ଚଳଚଞ୍ଚଳ ଦେଶର ସମସ୍ତ ରାମ ମନ୍ଦିର