ପୂର୍ବତନ ସରପଞ୍ଚଙ୍କୁ କାରରୁ ଟାଣିଆଣି ହତ୍ୟା

0
497

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ଆଜି ରାତି ୯ଟାରେ ଦୁର୍ବୃତ୍ତ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି। କୌଣସି କାମରେ ରାଜେନ୍ଦ୍ର ତାଙ୍କ ନିଜ ଗାଁ ଖଜାପଲ୍ଲୀରୁ କାର୍ ଯୋଗେ ଖଇରପଲ୍ଲୀ ଗ୍ରାମକୁ ଯାଉଥିଲେ।

ଖଇରପଲ୍ଲୀ ଗ୍ରାମକୁ ଯାଇ ଫେରୁଥିବା ବେଳେ ନିକଟ ବାହଲପଲ୍ଲୀ ହ୍ରଦ ରାସ୍ତାରେ ଦୁର୍ବୃତ୍ତମାନେ ବୋଲେରୋରେ ଆସି ତାଙ୍କୁ ଅଟକାଇଥିଲେ। କାର୍‌ ଡ୍ରାଇଭର୍ ଓ ରାଜେନ୍ଦ୍ରଙ୍କ ସହଯୋଗୀ ଜୀବନ ବଞ୍ଚାଇବାକୁ କାର୍‌ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ। ରାଜେନ୍ଦ୍ରଙ୍କୁ କାର୍ ଭିତରୁ ଟାଣି ଆଣି ଦୁର୍ବୃତ୍ତମାନେ ଖଣ୍ଡାରେ ପେଟକୁ ହାଣି ଦେଇଥିଲେ।

ଘଟଣାସ୍ଥଳରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଛି ଓ ଖବର ଲେଖାହେବା ସୁଦ୍ଧା ଶବ ରାସ୍ତା ମଝିରେ ପଡ଼ିଥିଲା। ଆଖପାଖ ଗ୍ରାମବାସୀ ଆସିଯିବାରୁ ଦୁର୍ବୃତ୍ତମାନେ ଆଣିଥିବା ବୋଲେରୋକୁ ଛାଡ଼ି ପଳାଇଥିଲେ। କବିସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଉଭୟ କାର୍ ଓ ବୋଲେରୋ ଜବତ କରିଛି।

ତେବେ ରାଜେନ୍ଦ୍ରଙ୍କୁ ପୁରୁଣା ବିବାଦରୁ ହିଁ ହତ୍ୟା କରା ଯାଇଥିବା ପୁଲିସ ଅନୁମାନ କରୁଛି। ତାଙ୍କ ବିପକ୍ଷ ଗୋଷ୍ଠୀ ଯୋଜନାବଦ୍ଧ ଭାବେ ହତ୍ୟାର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରି ଏହାକୁ ରୂପ ଦେବାରେ ସଫଳ ହୋଇଛନ୍ତି। ସୂଚନାନୁସାରେ, କବିସୂର୍ଯ୍ୟନଗର ଥାନା ଦେଓଗାଁ ମୁଖ୍ୟରାସ୍ତାରେ ଗତବର୍ଷ ଜିତେନ୍ଦ୍ର ବିଷୋୟୀ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ହାଣି ହତ୍ୟା କରିଥିଲେ।

ଏହି ଘଟଣା‌ରେ କିଛି ଅଭିଯୁକ୍ତ ବି ଗିରଫ ହୋଇଥିଲେ। କିନ୍ତୁ ହତ୍ୟା ପାଇଁ ରାଜେନ୍ଦ୍ର ହିଁ ଯୋଜନା କରିଥିବା ସନ୍ଦେହ କରି ବିପକ୍ଷ ଗୋଷ୍ଠୀ ପ୍ରତିଶୋଧ ନେବା ଲାଗି ମାନସିକସ୍ତରରେ ପ୍ରସ୍ତୁତ ରହିଥିଲେ। ଦୀର୍ଘ ୨୦ରୁ ୩୦ ବର୍ଷ ଧରି ଖଜାପଲ୍ଲୀ ଗ୍ରାମର ଏକ ଗୋଷ୍ଠୀ ସହ ରାଜେନ୍ଦ୍ରଙ୍କ ବିବାଦ ଲାଗି ରହିଥିଲା। ଫଳରେ ତାଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇବାକୁ ଯୋଜନା ହୋଇଥିଲା ବୋଲି ପୁଲିସ ଅନୁମାନ କରୁଛି।

Also Read  ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ନିଜେ ନିର୍ମାଣ କଲେ ଗାଁ ରାସ୍ତା

LEAVE A REPLY

Please enter your comment!
Please enter your name here