ନଳବନରେ ୩ ଲକ୍ଷ ୫୮ ହଜାର ୮୮୯ ପକ୍ଷୀଙ୍କ ସମାଗମ
ବାଲୁଗାଁ : ଚିଲିକାରେ ଆଜି ପକ୍ଷୀ ଗଣନା ଶେଷ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ ବିଭାଗର ମିଳିତ ନେତୃତ୍ୱରେ ହୋଇଥିବା ଏହି ଗଣନାରେ ସମଗ୍ର ଚିଲିକାରେ ମୋଟ୍ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଥିବା ଜଣାପଡ଼ିଛି। କେବଳ ପକ୍ଷୀ ଅଭୟାରଣ୍ୟ ନଳବନରେ ୩ ଲକ୍ଷ ୫୮ ହଜାର ୮୮୯ଟି ପକ୍ଷୀ ରହିଛନ୍ତି ବୋଲି ଗଣନାକାରୀଙ୍କଠାରୁ ସୂଚନା ମିଳିଛି।
ଚଳିତ ବର୍ଷ ମଙ୍ଗଲ୍ ଆଣ୍ଡ୍ ଗଲ୍ଫ୍ ଭାବେ ନୂଆ ପକ୍ଷୀ ମଙ୍ଗୋଲିଆରୁ ଚିଲିକାକୁ ଆସିଛନ୍ତି। ସବୁଠାରୁ ଅଧିକ ସଂଖ୍ୟକ ପକ୍ଷୀ ପ୍ରିଣ୍ଟେଲ୍ (୧ ଲକ୍ଷ ୭୨ ହଜାର ୨୮୫) ଆସିଛନ୍ତି ବୋଲି ଜଣାପଡ଼ିଛି। ଦ୍ବିତୀୟ ସ୍ଥାନରେ ଗାଡୱାଲ (୧ ଲକ୍ଷ ୫୩ ହଜାର ୯୮୫) ଥିବା ବେଳେ ୱିଜନ୍ (୧ ଲକ୍ଷ ୫୦ ହଜାର ୮୪୩) ତୃତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ସବୁଠାରୁ ସୁନ୍ଦର ତଥା ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗୋଙ୍କ ସଂଖ୍ୟା ୨୨୦୦ ରହିଛି। ବହୁ ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ମହାବୀର ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ତଥା ବନ୍ୟପ୍ରାଣୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପକ୍ଷୀ ଗଣନାରେ ସାମିଲ ହୋଇଥିଲେ।

























