ଫାଣ୍ଡି ଅଧିକାରୀଙ୍କ ମୃତ୍ୟୁ ଖବର ପାଇ ଯାଉଥିଲେ ଆଇଆଇସି : ଗଛରେ ପିଟି ହେଲା ଗାଡ଼ି

0
652
ଗଛରେ ପିଟି ହେଲା ଗାଡ଼ି
ଗଛରେ ପିଟି ହେଲା ଗାଡ଼ି

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା କିସିଣ୍ଡା-ରେଢ଼ାଖୋଲ ରାସ୍ତାର ଆମ୍ବପାଳ ଠାରେ ଏକ ପୁଲିସ୍ ଗାଡ଼ି ଗଛରେ ପିଟି ହେବାରୁ ଜଣେ ଆଇଆଇସିଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ଆଇଆଇସିଙ୍କ ନାଁ ପ୍ରଶାନ୍ତ ସାମଲ। ସେହିଭଳି ଆହତ ହୋମବଗାର୍ଡଙ୍କ ନାଁ ଇଭାନ ବିଶ୍ୱାଳ। ଉଭୟେ କିସିଣ୍ଡା ଥାନାରେ କାର୍ଯ୍ୟରତ ଅଛନ୍ତି।

ଆଜି ସକାଳେ ଗାଧୁଆ ଘରେ ପଡ଼ି ବଡ଼ମାଲ ଫାଣ୍ଡି ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପାଇବା ପରେ ତାଙ୍କର ଶେଷ ଦର୍ଶନ ପାଇଁ କିସିଣ୍ଡା ଥାନା ଆଇଆଇସି ପ୍ରଶାନ୍ତ ସାମଲ ରେଢ଼ାଖୋଲ ଡାକ୍ତରଖାନାକୁ ଯାଉଥିଲେ। ତାଙ୍କ ସହିତ ହୋମଗାର୍ଡ ଇଭାନ ବିଶ୍ୱାଳ ଥିଲେ। ସେମାନେ କିସିଣ୍ଡା ଥାନା ଗାଡ଼ି ନେଇ ଯାଉଥିବା ବେଳେ ନିଜେ ଆଇଆଇସି ଏହାକୁ ଚଲାଉଥିଲେ ବୋଲି ଜଣାପଡ଼ିଛି।

ଆମ୍ବପାଳ ଠାରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଉଭୟ ଆହତଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

 

Also Read  Wall collapse, takes life of two and injures one in Cuttack