ଭୁବନେଶ୍ୱର: ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘୂର୍ଣ୍ଣିବଳୟ ସୃଷ୍ଟିର ୨୪ ଘଣ୍ଟା ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।
ତେବେ ଏହାର ପ୍ରଭାବ କିଭଳି ରହିବ ଓ କେଉଁ ଅଞ୍ଚଳରେ ବର୍ଷା ପବନ ହେବ ସ୍ପଷ୍ଟ ହୋଇନି । ଓଡ଼ିଶା ଉପରେ କଣ ପ୍ରଭାବ ପଡ଼ିବ ଜଣା ପଡିନାହିଁ । ଏବେ ରାଜ୍ୟରେ କ୍ରମାଗତ ଭାବରେ ବଢୁଛି ତାତି । ପାଣିପାଗ ବିଭାଗ ସୂଚନା ଦେଇଛି, ଆଗାମୀ ୪-୫ ଦିନ ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । କିଛି ସହରରେ ତାତି ୪୧ ଡିଗ୍ରୀ ପାର କରିଛି । ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ତାତି କମିବା ସମ୍ଭାବନା ରହିଛି ।

























