ବଜାରରେ ବୁଲିବା ବେଳେ ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍‌ଙ୍କ ଉପରେ ଟମାଟୋ ମାଡ଼

0
371

ନୂଆଦିଲ୍ଲୀ: ଫ୍ରାନ୍‌ସ୍‌ର ରା‌ଷ୍ଟ୍ରପତି ଭାବେ ଦ୍ବିତୀୟ ଥର ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବୁଧବାର ଦିନ ବାହାରକୁ ଯାଇଥିବା ବେଳେ ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କ ଆଡ଼କୁ କେହି ଜଣେ ଆଞ୍ଜୁଳାଏ ଟମାଟୋ ଫିଙ୍ଗିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ବିଭାଜିତ ଫ୍ରାନ୍‌ସ୍‌କୁ ଏକତ୍ର କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି ପାଳନପୂର୍ବକ ଇମ୍ମାନୁଏଲ୍‌ ତାଙ୍କର ପ୍ରଥମ ନିର୍ବାଚନ ପରବର୍ତ୍ତୀ ଗସ୍ତ କରିଥିଲେ ପ୍ୟାରିସ୍‌ର ଉପନଗରୀ ଚେର୍ଗି-ପଇଣ୍ଟୋଇଜ୍‌ ଯାଇଥିଲେ। ଲୋକେ ସ୍ବଳ୍ପ ରୋଜଗାର କରୁଥିବା ଏହି ଅଞ୍ଚଳରେ ମାକ୍ରୋନ୍‌ଙ୍କ ବାମପନ୍ଥୀ ପ୍ରାର୍ଥୀ ଜିନ୍‌-ଲ୍ୟୁକ୍‌ ମେଲେକୋନ୍‌ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିଲେ।

ସେଠାକାର ଗୋଟାଏ ଖାଦ୍ୟ ବଜାରରେ ଦଳେ ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ପୁନଃ ନିର୍ବାଚିତ ‌ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କ ଆଡ଼କୁ କେହି ଜଣେ ଆଞ୍ଜୁଳାଏ ‘ଚେରି ଟମାଟୋ’ ଫିଙ୍ଗିଥିଲେ। ଟମାଟୋ ସବୁ ମାକ୍ରୋନ୍‌ଙ୍କ ଉପରେ ବାଜି ନ ଥିଲେ ମଧ୍ୟ ତାଙ୍କ ମୁହଁର ଅତି ନିକଟ ଦେଇ ଅତିକ୍ରମ କରିଯାଇଥିଲା। ଏହା ଦେଖି ତାଙ୍କର ସୁରକ୍ଷାକର୍ମୀମାନେ ‘କ୍ଷେପଣାସ୍ତ୍ର’ ‘କ୍ଷେପଣାସ୍ତ୍ର’ ବୋଲି ଚିତ୍କାର କରିଥିଲେ। ଫରାସୀ ରାଷ୍ଟ୍ରପତିଙ୍କୁ ଟମାଟୋ ମାଡ଼ରୁ ସୁରକ୍ଷା ଦେବା ପାଇଁ ଅଙ୍ଗରକ୍ଷୀମାନେ ଏକ ସ୍ବତନ୍ତ୍ର ଛତା ଖୋଲିବା ପୂର୍ବରୁ ପ୍ରଥମେ ତାଙ୍କ ମୁଣ୍ଡ ଚାରିପଟେ ହାତ ବେଢ଼ାଇ‌ ଦେଇଥିଲେ।

‘ଚେରି ଟମାଟୋ’ଗୁଡ଼ିକ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କ ଉପରେ ପଡ଼ିଥିଲା। ଇମ୍ମାନୁଏଲ୍‌ କିନ୍ତୁ, ବିରକ୍ତି ଭାବ ପ୍ରକାଶ କରି ନ ଥିଲେ। ବରଂ ମାଡ଼ଗୋଳ କରନାହିଁ କହି ଘଟଣାସ୍ଥଳରୁ ଚାଲିଯାଇଥିଲେ। ସୂଚନାଯୋଗ୍ୟ, ଦକ୍ଷିଣପନ୍ଥୀ ନେତ୍ରୀ ମେରାଇନ୍‌ ଲି ପେନ୍‌ଙ୍କୁ ଅନାୟାସରେ ପରାସ୍ତ କରି ଇମ୍ମାନୁଏନ୍‌ ମାକ୍ରୋନ୍‌ ଅଳ୍ପ ଦିନ ପୂର୍ବେ ଦ୍ବିତୀୟ ଥର ପାଇଁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ହୋଇଛନ୍ତି।

Also Read  କିଟରେ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍‍ସିପ୍‍ ଉଦ୍‍ଯାପିତ: ମାଙ୍ଗାଲୋର ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ବିବେଚିତ