ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣର ଉପର ତଳ ଭିତରେ ୫ ରାଜ୍ୟ ଉପରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର ସରକାର ଦିଲ୍ଲୀ, ହରିଆଣା, ମିଜୋରାମ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ସରକାରକୁ ଚିଠି ଲେଖି କୋଭିଡ ସଂକ୍ରମଣ ବୃଦ୍ଧି ଉପରେ ନଜର ରଖିବାକୁ କହିଛନ୍ତି। ନିଜ ନିଜ ରାଜ୍ୟର ଜନ ଗହଳିପୂର୍ଣ୍ଣ ଅଂଚଳରେ ମାସ୍କ ପିନ୍ଧିବା ବିଶେଷ ଗୁରୁତ୍ୱ ଦେବାକୁ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ଲେଖିଥିବା ଚିଠିରେ କହିଛନ୍ତି ଯେ, କିଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ରାଜ୍ୟଗୁଡ଼ିକୁ ସଂକ୍ରମଣ କିଭଳି ନବ୍ୟାପିବ ଏବଂ ପ୍ରଭାବୀ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ଭୂଷଣ କହିଛନ୍ତି ଯେ କରୋନାର ନୂଆ କ୍ସଷ୍ଟର ଗୁଡିକ ଉପରେ ନଜର ରଖିବା ଉଚିତ । ଏବଂ ସଂକ୍ରମଣକୁ ରୋକିବା ପାଇଁ ପ୍ରୟାସ କରିବା ଉଚିତ।
ଏଥିରେ କୁହାଯାଇଛି, ବିଦେଶ ଯାତ୍ରୀଙ୍କ କରୋନା ନମୁନା ଏବଂ ସ୍ଥାନୀୟ କ୍ଲଷ୍ଟରର ସଂକ୍ରମିତଙ୍କ ଜିନୋମିକ୍ ସିକ୍ୱେନ୍ସିଂ ହେବା ଉଚିତ। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଯେକୌଣସି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ନଜର ରଖିବା ଏବଂ ଆଗୁଆ ପଦକ୍ଷେପ ନେବା ଦରକାର। ଏପ୍ରିଲ ୮ରେ ଏହି ପାଞ୍ଚଟି ରାଜ୍ୟକୁ କେନ୍ଦ୍ର ଚିଠି ଲେଖିଥିଲା ଯେତେବେଳେ କରୋନା ସଂକ୍ରମଣ ବୃଦ୍ଧି ହେବା ଆରମ୍ଭ କରିଥିଲା।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦିଲ୍ଲୀର ପ୍ରମୁଖ ସଚିବ ମନୀଷା ସାକ୍ସେନାଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଏପ୍ରିଲ ୧୨ ଶେଷ ସପ୍ତାହରେ ସାପ୍ତାହିକ ନୂଆ ସଂକ୍ରମିତ ୯୯୮ ଥିଲା ବେଳେ ଏପ୍ରିଲ ୧୯ରେ ଏହା ୨,୬୭୧ ପହଞ୍ଚିଛି। ସେହିପରି ସପ୍ତାହକ ମଧ୍ୟରେ ଦିଲ୍ଲୀରେ ପଜିଟିଭ ହାର ୧.୪୨%ରୁ ୩.୪୯%କୁ ବୃଦ୍ଧି ପାଇଛି। ହରିଆଣାରେ ସାପ୍ତାହିକ ନୂଆ ସଂକ୍ରମିତଙ୍କ ମାମଲା ୫୨୧ରୁ ୧୨୯୯କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ପଜିଟିଭ୍ ହାର ୧.୨୨ ପ୍ରତିଶତରୁ ୨.୮୬ ପ୍ରତିଶତକୁ ବୃଦ୍ଧି ପାଇଛି।

























