ବୀରଭୂମି: ବାରୁଦ ଗଦାରେ ଛିଡା ହୋଇଛି ପଶ୍ଚିମବଙ୍ଗ । ବୀରଭୂମି ହିଂସା ପରେ ତଦନ୍ତ କରୁଥିବା ପୋଲିସ ଆଶ୍ଚର୍ଯ୍ୟଚକିତ ହୋଇଛି । ଚକିତ ହେବାର ମୁଖ୍ୟ କାରଣ ହେଲା ୨୪ ଘଂଟା ମଧ୍ୟରେ ୩୫୦ରୁ ଅଧିକ ଜୀବନ୍ତ ବୋମା ପୋଲିସ ଜବତ କରିସାରିଛି । ବୀରଭୂମି ହିଂସା ପରେ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯିବାରୁ ମମତା ବାନାର୍ଜୀ ଡିଜିପି ମନୋଜ ମାଲବୀୟଙ୍କୁ ଅବୈଧ ବୋମା ଓ ଅସ୍ତ୍ର ଶସ୍ତ୍ର ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନଖଡ ରାଜ୍ୟରେ ଅବୈଧ ବୋମା ଫ୍ୟାକ୍ଟ୍ରି ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ପୂର୍ବରୁ ମମତା ସରକାର ଏହି ଅଭିଯୋଗକୁ ମାନୁ ନ ଥିଲେ ମଧ୍ୟ ଏବେ ଏତେ ମାତ୍ରାରେ ବୋମା ଜବତ ହେବା ପରୋକ୍ଷରେ ଏହାର ସତ୍ୟତାକୁ ଉଜାଗର କରିଛି । ଇଣ୍ଡିଆ ଟୁଡେ ଷ୍ଟିଙ୍ଗ ଅପରେଶନରେ ୧୩୦ ଟଙ୍କାରେ ବୋମା ମିଳୁଥିବା ଦେଖା ଯାଇଥିଲା ।