ବିଦ୍ରୋହୀ ମହାରାଷ୍ଟ୍ର ବିଧାୟକ ଥିବା ହୋଟେଲ୍‌ ବାହାରେ ‘ତୃଣମୂଳ କଂଗ୍ରେସ’ର ପ୍ରତିବାଦ

0
482

ଗୌହାଟୀ: ଏକନାଥ ସିନ୍ଦେଙ୍କ ଶିବିରର ବିଦ୍ରୋହୀ ମହାରାଷ୍ଟ୍ର ବିଧାୟକମାନେ ଅବସ୍ଥାନ କରୁଥିବା ଗ‌ୌହାଟୀସ୍ଥିତ ‘ରେଡିସନ୍‌ ବ୍ଲୁ ହୋଟେଲ୍‌’ ବାହାରେ ପ୍ରତିବାଦ ପ୍ରଦର୍ଶନ କରି ଆସାମ ତୃଣମୂଳ କଂଗ୍ରେସ ୟୁନିଟ୍‌ର କେତେକ ସଦସ୍ୟ ଓ କର୍ମୀଙ୍କୁ ପୁଲିସ ଅଟକ ରଖିଛି। ଆସାମରେ ପ୍ରଳୟଙ୍କରୀ ବନ୍ୟା ସଂଘଠିତ ହେଉଥିବା ବେଳେ ବିଜେପି ବିଧାୟକ ବିକ୍ରି ଆୟୋଜନ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ତୃଣମୂଳ କଂଗ୍ରେସର ସଭାପତି ରିପୁନ୍‌ ବୋରା ଉକ୍ତ ପ୍ରତିବାଦର ନେତୃତ୍ବ ନେଇଛନ୍ତି। ତୃଣମୂଳ କଂଗ୍ରେସର ଜଣେ କର୍ମୀ କହିଛନ୍ତି, ବନ୍ୟା ଯୋଗୁଁ ପ୍ରାୟ ୨୦ ଲକ୍ଷ ଆସାମବାସୀ ଦୁର୍ଦଶା ଭୋଗୁଥିବା ବେଳେ ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର ସରକାର ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି।

ତୃଣମୂଳ କଂଗ୍ରେସ ନେତା ରିପୁନ୍‌ ବ‌ୋରାଙ୍କ ସମେତ ଅନ୍ୟାନ୍ୟ ପ୍ରତିବାଦକାରୀଙ୍କୁ ଆସାମ ପୁଲିସ ରେଡିସନ୍‌ ‌ବ୍ଲୁ ହୋଟେଲ୍‌ ବାହାର ପ୍ରତିବାଦସ୍ଥଳୀରୁ ଉଠାଇ ନେଇଛି। ଆସାମରେ ପ୍ରଳୟଙ୍କରୀ ବନ୍ୟାରେ ଜନସାଧାରଣ ମୃତ୍ୟୁବରଣ କରୁଥିବା ବ‌େଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକମାନଙ୍କର ସୁବିଧା କରୁଛନ୍ତି। ଏକନାଥ ସିନ୍ଧେଙ୍କ ସମର୍ଥକମାନେ କହିଛନ୍ତି ଯେ, ହୋଟେଲ୍‌ରେ ପ୍ରାୟ ୪୦ଜଣ ବିଧାୟକ ଅଛନ୍ତି।

ସେପଟେ, ବିଜେପି ଆନୁଷ୍ଠାନିକ ଭାବେ କହିଛି ଯେ, ଏ ସଙ୍କଟରେ ବିଜେପି ହସ୍ତକ୍ଷେପ କରୁନାହିଁ। ତାହା ଶିବସେନାର ଅଭ୍ୟନ୍ତରୀଣ ସମସ୍ୟା। କିନ୍ତୁ, ଅନ୍ୟସୂତ୍ରରୁ ପ୍ରକାଶ ଯେ, ହୋଟେଲ୍‌କୁ ଶିବସେନାର ଯଥେଷ୍ଟ ସଂଖ୍ୟକ ବିଧାୟକ ଆସିଗଲେ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ବିଜେପି ‘ଅପରେସନ୍‌ ଲୋଟସ୍‌’ ଆରମ୍ଭ କରିବ। ଶେଷରେ ବିଦ୍ରୋହୀ ଶିବସେନା ବିଦ୍ରୋହୀଙ୍କୁ ସମର୍ଥନ ଦେଇ ବିଜେପି ମହାରାଷ୍ଟ୍ରରେ ନୂତନ ସରକାର ସ୍ଥାପନ କରିବ।

Also Read  ରାଜ୍ୟର ଶତ ପ୍ରତିଶତ ଟିକାକରଣରେ ବାଧକ ସାଜିଛନ୍ତି ପ୍ରବାସୀ