ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତର ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ…..

0
435
ଭାରତର ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ
ଭାରତର ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ

ନୂଆଦିଲ୍ଲୀ: ଗତକାଲି ‘ଚିଫ୍ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ବିପିନ ରାୱତ୍‌ଙ୍କ ହେଲିକପ୍ଟର୍‌ ଦୁର୍ଘଟଣାଜନିତ ମୃତ୍ୟୁ ହେଉଛି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ସୁପରିଚିତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସଦ୍ୟତମ ଅଘଟଣ। ଅତୀତରେ ମଧ୍ୟ ଏଭଳି ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧୀ, ମାଧବରାଓ ସିନ୍ଧିଆ, ୱାଇଏସ୍‌ଆର୍‌ ରେଡ୍ଡୀ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ଘଟିଛି।

୧୯୭୩ ମେ ୩୦ ତାରିଖରେ ଇନ୍ଦିରା ଗାନ୍ଧୀ ସରକାରରେ ଇସ୍ପାତ ମନ୍ତ୍ରୀ ଥିବା ମୋହନ କୁମାରମଙ୍ଗଳମ୍‌ଙ୍କର ୫୬ ବର୍ଷ ବୟସରେ ନୂଆଦିଲ୍ଲୀରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ୧୯୮୦ ଜୁନ୍‌ ୨୩ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଞ୍ଜୟ ଗାନ୍ଧୀଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଦିଲ୍ଲୀସ୍ଥିତ ସଫଦରଗଞ୍ଜ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ଅବିଳମ୍ବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୯୯୪ ଜୁଲାଇ ୯ ତାରିଖରେ ଉଡ଼ାଣ ଆରମ୍ଭ କରିବାର କେଇ ମୁହୂର୍ତ୍ତ ପରେ ରାଜ୍ୟ ସରକାରଙ୍କ ଏକ ବିମାନ ହିମାଚଳ ପ୍ରଦେଶର ପର୍ବତମାଳାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପଞ୍ଜାବର ତତ୍‌କାଳୀନ ରାଜ୍ୟପାଳ ସୁରେନ୍ଦ୍ର ନାଥ ଏବଂ ତାଙ୍କ ପରିବାରର ୯ଜଣ ସଦସ୍ୟଙ୍କ ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଥିଲା।

୨୦୦୧ ମେ ମାସରେ କମ୍‌ ଦୃଶ୍ୟତା ହେତୁ ତୱାଙ୍ଗ୍‌ ନିକଟରେ ପବନ ହଂସ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଅରୁଣାଚଳ ପ୍ରଦେଶର ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ଦେରା ନତୁଙ୍ଗ୍‌ଙ୍କ ଏବଂ ଆଉ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୦୧ ସେପ୍ଟେମ୍ବର ୩୦ରେ ମଧ୍ୟପ୍ରଦେଶ ରାଜବଂଶଜ ଏବଂ ପୂର୍ବତନ କଂଗ୍ରେସ କ୍ୟାବିନେଟ୍‌ ମନ୍ତ୍ରୀ ମାଧବରାଓ ସିନ୍ଧିଆ କଂଗ୍ରେସ ରାଲିରେ ଉଦ୍‌ବୋଧନ ଦେବାକୁ ଉତ୍ତର ପ୍ରଦେଶର କାନପୁର ଯାତ୍ରା କରୁଥିବା ବେଳେ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିଲେ।

୨୦୦୨ ମାର୍ଚ ୩ରେ ତତ୍‌କାଳୀନ ଲୋକସଭା ବାଚସ୍ପତି ତଥା ତେଲୁଗୁ ଦେଶମ୍‌ ନେତା ଜି. ଏମ୍. ସି. ବାଳଯୋଗୀ ଆନ୍ଧ୍ରପ୍ରଦେଶରେ ଗୋଟାଏ ହେଲିକପ୍ଟର୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୨୦୦୪ ସେପ୍ଟେମ୍ବରରେ ମେଘାଳୟ ଗୋଷ୍ଠୀ ଉନ୍ନୟନ ମନ୍ତ୍ରୀ ସି. ସାଙ୍ଗମା, ତିନିଜଣ ବିଧାୟକ ଏବଂ ଆଉ ଛଅଜଣ ମଧ୍ୟ ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

୨୦୦୫ ମାର୍ଚ ୩୧ରେ ହରିୟାଣା ମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଓ.ପି. ଜିନ୍ଦଲ୍‌ ଏବଂ ସୁରେନ୍ଦ୍ର ସିଂହ ଯାତ୍ରା କରୁଥିବା ହେଲିକପ୍ଟର୍‌ଟି ଉତ୍ତର ପ୍ରଦେଶର ସାହରଣପୁରରେ ତଳକୁ ଖସିପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା। ୨୦୦୯ ସେପ୍ଟେମ୍ବର ୩ ତାରିଖରେ ଚିତୂର ଜିଲ୍ଲାର ଗୋଟାଏ ଗ୍ରାମକୁ ଉଡ଼ିଯାଉଥିବା ବ‌େଳେ ଗୋଟାଏ ‘ବେଲ୍‌ ୪୩୦’ ହେଲିକପ୍ଟର୍‌ ଘନ ଅରଣ୍ୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଆନ୍ଧ୍ରପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କର ମୃତ୍ୟୁ ଘଟିଥିଲା।

Also Read  ରାଜ୍ୟର ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି

୨୦୧୧ ଏପ୍ରିଲ୍‌ ୩୦ରେ ତୱାଙ୍ଗ୍‌ରୁ ଇଟାନଗର ଯାତ୍ରା କରୁଥିବା ବେଳେ ଅରଣ୍ୟ ଅଞ୍ଚଳରେ ହେଲିକପ୍ଟର୍‌ ଦୁର୍ଘଟଣା‌ ଘଟିବାରୁ ଅରୁଣାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍ଜୀ ଖଣ୍ଡୁ ଏବଂ ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଚୀନ୍‌ ସୀମାନ୍ତବର୍ତ୍ତୀ ସେଲା ପାସ୍‌ରୁ ଖଣ୍ଡୁଙ୍କ ଶବ ଉଦ୍ଧାର କରାଯାଇଥିଲା। ୨୦୨୧ ମେ ୨୧ରେ ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ଲାଙ୍ଗିନା ଗ୍ରାମର ଗୋଟାଏ ଖୋଲା ପଡ଼ିଆରେ ମିଗ୍‌-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନବ ଚୌଧୁରୀଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here