ଭାରତ ଦର୍ଶନ ପାର୍କରେ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରତିକୃତି ସ୍ଥାପିତ

0
660

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ପଞ୍ଜାବୀବାଗ୍‌ ରିଙ୍ଗ୍‌ ରୋଡ୍‌ ନିକଟରେ ଥିବା ଭାରତ ଦର୍ଶନ ପାର୍କରେ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ପ୍ରତିକୃତି ସ୍ଥାପନ କରାଯାଇଛି।

କେବଳ ଓଡ଼ିଶାର ଦୁଇଟି ପ୍ରତିକୃତି ନୁହେଁ, ଭାରତ ଦର୍ଶନ ପାର୍କରେ ଦେଶର ୧୭ଟି ରାଜ୍ୟର ୨୨ଟି ଐତିହାସିକ ସ୍ମାରକୀର ପ୍ରତିକୃତି ସ୍ଥାପନ କରାଯାଇଛି। ପାର୍କରେ ସ୍ଥାପନ କରାଯାଇଥିବା ପ୍ରତିକୃତି ସବୁ ହେଉଛି, କୁତବ୍‌ ମୀନାର, ତାଜ୍‌ମହଲ, ଚାର୍‌ମୀନାର, ଗେଟ୍‌ୱେ ଅଫ୍‌ ଇଣ୍ଡିଆ, ମହୀଶୂର ପ୍ରାସାଦ ,ମୀନାକ୍ଷି ମନ୍ଦିର, ହାମ୍ପି, ଭିକ୍ଟୋରିଆ ମେମୋରିୟାଲ୍‌, ସାଞ୍ଚି ସ୍ତୂପ, ଗୋଲ୍‌ ଗମ୍ବୁଜ, ଅଜନ୍ତା ଓ ଏଲୋରା ଗୁମ୍ଫା, ବଦ୍ରିନାଥ ଇତ୍ୟାଦି। ୮.୫ ଏକର କ୍ଷେତ୍ରଫଳବିଶିଷ୍ଟ ଭାରତ ଦର୍ଶନ ପାର୍କରେ ୫୩୦ ଟନ୍‌ ବର୍ଜ୍ୟ ସାମଗ୍ରୀରେ ୮ଜଣ ଶିଳ୍ପୀ, ୨୨ଜଣ ସହାୟକ ଶିଳ୍ପୀ ଓ ୧୫୦ ଜଣ କାରିଗରଙ୍କଦ୍ବାରା ୨୨ ମାସର ପରିଶ୍ରମରେ ଉପରୋକ୍ତ ୨୨ଟି ପ୍ରତିକୃତି ନିର୍ମାଣ ସମ୍ଭବ ହୋଇପାରିଛି।

ଦେଶର ୧୭ଟି ରାଜ୍ୟର ୨୨ଟି ପ୍ରତିକୃତି ସ୍ଥାପନ କରିବାରେ ଭାରତ ଦର୍ଶନ ପାର୍କ ଦେଶର ପ୍ରଥମ ପାର୍କ ବୋଲି ଦକ୍ଷିଣ ଏମ୍‌.ସି. ଡି. ପକ୍ଷରୁ କୁହାଯାଇଛି। ବିବିଧତା ମଧ୍ୟରେ ଏକତା ଆଭିମୁଖ୍ୟ ଥିବା ଏହି ପାର୍କରେ ୧୭ ରାଜ୍ୟର ପ୍ରସିଦ୍ଧ କଳାକୃତିଗୁଡ଼ିକୁ ସ୍ଥାନ ଦିଆଯାଇଛି। ସ୍ଥାପନ କରାଯାଇଥିବା ପ୍ରତ୍ୟେକ ପ୍ରତିକୃତିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୋଲାର୍‌ ଲାଇଟ୍‌ର ପୂର୍ଣ୍ଣ ଉପଯୋଗ କରାଯାଇଛି।

୨୨ଟି ପ୍ରତିକୃତି ନିର୍ମାଣରେ ମୋଟ୍‌ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଶ୍ରୀମନ୍ଦିର ପ୍ରତିକୃତି ନିର୍ମାଣରେ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଣାର୍କ ମନ୍ଦିର ପ୍ରତିକୃତି ନିର୍ମାଣରେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିବା ପରେ ଆଜି ଠାରୁ ଏହି ପାର୍କକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି।

 

Also Read  Prime Minister asks the sport lovers to attend Hockey Men’s World Cup-2018 to be held at Odisha