ମଧ୍ୟପ୍ରଦେଶ ଅଗ୍ନିକାଣ୍ଡରେ ୭ ମୃତ; ଉତ୍ତର ପ୍ରଦେଶ ସଡ଼କ ଦୁର୍ଘଟଣାରେ ୭ ମୃତ

0
553

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା ଅନ୍ତର୍ଗତ ସ୍ବର୍ଣ୍ଣବାଗ କଲୋନିସ୍ଥିତ ଗୋଟାଏ ଦ୍ବିତଳ ଘରେ ଅଗ୍ନିକାଣ୍ଡ ଘଟିବାରୁ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ‘ଇଲେକ୍ଟ୍ରିକ୍‌ ମିଟର୍‌’ରେ ‘ସର୍ଟସର୍କିଟ୍‌’ ହେବାରୁ ଅଗ୍ନିକାଣ୍ଡ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଅଗ୍ନିଶମ ବିଭାଗର କର୍ମଚାରୀମାନେ କହିଛନ୍ତି। ‘ସର୍ଟସର୍କିଟ୍‌’ ଫଳରେ ନିକଟରେ ରଖାଯାଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲାଗିଥିଲା। ପରେ ଗାଡ଼ିରୁ ନିଆଁ କୋଠାକୁ ବ୍ୟାପିଯାଇଥିଲା।

ପ୍ରାୟ ୩ ଘଣ୍ଟା ଉଦ୍ୟମ କରି ଦମକଳ ବାହିନୀ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ। ଅଗ୍ନିଶମ ଓ ପୁଲିସ ଅଧିକାରୀମାନେ ପୋଡ଼ା କୋଠାଘରୁ ୫ଜଣଙ୍କ ଶବ ଉଦ୍ଧାର କରିବା ସହ ଆହତ ହୋଇଥିବା ଆହୁରି ୫ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଆଉ ୨ଜଣଙ୍କର ମୃତ୍ୟୁ ହେବାରୁ ସମୁଦାୟ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି।

ସେହିପରି, ଗତ ରାତିରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ମଥୁରରେ ଥିବା ଯମୁନା ଏକ୍ସପ୍ରେସ୍‌ୱେ ଅନ୍ତର୍ଗତ ନୌଝୀଲ୍‌ ଅଞ୍ଚଳରେ ଥିବା ୬୮ ନମ୍ବର ମାଇଲ୍‌ଖୁଣ୍ଟ ପାଖରେ ଗୋଟାଏ ୱଗନ୍‌ଆର୍‌ କାର୍‌ ଅନ୍ୟ ଗୋଟାଏ ଗାଡ଼ିରେ ଧକ୍କାଖାଇବାରୁ ଅନ୍ୟୂନ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଉକ୍ତ ଭୟାବହ ଦୁର୍ଘଟଣାରେ କାର୍‌ରେ ଯାଉଥିବା ୩ଜଣ ପୁରୁଷ, ୩ଜଣ ମହିଳା ଏବଂ ଜଣେ ପିଲାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ସେମାନେ କ‌ୌଣସି ବିବାହ ଉତ୍ସବକୁ ଯାଉଥିଲେ ବୋଲି ଜଣାପଡ଼ିଛି। ବିପର୍ଯ୍ୟସ୍ତ ପରିବାରବର୍ଗଙ୍କ ଉଦ୍ଦେଶ୍ୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିବା ସହ ଆହତମାନଙ୍କର ଉପଯୁକ୍ତ ଡାକ୍ତରୀ ଚିକିତ୍ସା ନିମନ୍ତେ ନିର୍ଦେଶ ଦେଇଛନ୍ତି।

Also Read  ସ୍ୱର୍ଗତ ଅଭିନେତା-ଗାୟକ କିଶୋର କୁମାର ଙ୍କ ବଙ୍ଗଳା ରେ ରେଷ୍ଟୁରାଣ୍ଟ ଖୋଲିବେ ବିରାଟ କୋହଲି