ମାଓ ଅଂଚଳରେ ୪-ଜି ନେଟୱାର୍କ

0
237

ନୂଆଦିଲ୍ଲୀ : ମାଓ ଅଂଚଳରେ ଲାଗିବ ୪–ଜି ନେଟୱାର୍କ। ଏବେ ର ୨–ଜି ନେଟୱର୍କ ୪–ଜି କୁ ଉନ୍ନୀତ କରାଯିବ। ଦ୍ରୁତ ଇଂଟରନେଟ୍ ସହ ବେତାର ମୁଖ୍ଯସ୍ରୋତରେ ଯୋଡିହେବ ଏହି ସମସ୍ତ ପଛୁଆ ଅଂଚଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ ବା ୟୁଏସ୍ଓଏଫ୍ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସେହି ଅନୁସାରେ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳ ଗୁଡିକରେ ଥିବା ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରାଯିବ । ବିଶେଷତଃ ଏସବୁ ଅଞ୍ଚଳର ନିରାପତ୍ତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ୨ଜିମୋବାଇଲ ସାଇଟ୍ ୪ଜିରେ ପରିଣତ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଏସବୁ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ୨୩୪୩ ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ପରିଣତ କରାଯିବ । ଏଥିପାଇଁ ୧୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁ ମୋବାଇଲ ସାଇଟ ଗୁଡିକ ୨ଜିରୁ ୪ଜିକୁ ଉନ୍ନୀତ ହେବ ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପୃକ୍ତ ସଂସ୍ଥାକୁ ପାଂଚ ବର୍ଷ ଯାଏ କରିବାକୁ ପଡିବ । ତେବେ ଏହି ପାଂଚ ବର୍ଷର ରକ୍ଷଣାବେକ୍ଷଣ ପରେ ସମ୍ପୃକ୍ତ ସାଇଟ୍ ଗୁଡିକର ପରିଚାଳନା ଓ ଦେଖାଶୁଣା କାମ ବିଏସ୍ଏନ୍ଏଲ ନିଜ ଖର୍ଚ୍ଚରେ କରିବ ।ତେବେ ଏସବୁ ମୋବାଇଲ ସାଇଟ ଗୁଡିକ ବିଏସ୍ଏନ୍ଏଲ ସମ୍ପତ୍ତି ହୋଇଥିବାରୁ ଏହାର ଆଧୁନିକୀକରଣ ଓ ଉନ୍ନତୀକରଣ କାମ ବିଏସ୍ଏନ୍ଏଲ କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଏବେ ଯେଉଁ ୨ଜି ମୋବାଇଲ ସେବା ଚାଲିଛି ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେବିଏସଏନ୍ଏଲକୁ ଅର୍ଥ ଯୋଗାଇ ଦେବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୫ ବର୍ଷର ଚୁକ୍ତିବଦ୍ଧ ସମୟସୀମା ବାହାରେ ବିଏସ୍ଏନ୍ଏଲ ଏହି ସାଇଟ ରକ୍ଷଣାବେକ୍ଷଣ ଓ ପରିଚାଳନା କରିପାରିବ । ଏଥିପାଇଁ ୫୪୧.୮୦ କୋଟି ଟଙ୍କା ଖର୍ଚ୍ଚ ହେବ । କ୍ୟାବିନେଟ ଅନୁମୋଦନର ତାରିଖଠାରୁ ୧୨ମାସ କିମ୍ବା ୪ଜି ସାଇଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଯେଉଁଟି ଆଗ ତାକୁ କାର୍ଯ୍ୟକାଳ ବୃଦ୍ଧି ସମୟ ଭାବେ ଗ୍ରହଣ କରାଯିବ ।

ଗ୍ରାମାଞ୍ଚଳକୁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ୍ ସେବା ଯୋଗାଇ ଇ–ପ୍ରଶାସନକୁ ସୁଦୃଢ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା ଅନେକାଂଶରେ ପୂରଣ ହେବ । ୪ଜି ସେବା ଏହି ସବୁ ଅଞ୍ଚଳରେ ବ୍ୟାଙ୍କ, ଟେଲିମେଡିସିନ, ଟେଲି ଶିକ୍ଷା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ।

Also Read  ମାର୍ଚ୍ଚ ମାସ ଶେଷ ହେବା ପୂର୍ବରୁ କରିନିଅନ୍ତୁ ଏହି ପାଞ୍ଚଟି କାମ, ନଚେତ୍ ପଡିପାରନ୍ତି ଅସୁବିଧାରେ....

LEAVE A REPLY

Please enter your comment!
Please enter your name here