ଭୁବନେଶ୍ବର: ବହୁଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲା ନେଇ କ୍ରାଇମ୍ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ହତ୍ୟା ମାମଲାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଭଦ୍ରକ, ଭୁବନେଶ୍ବର ଓ ନୟାଗଡ଼ରେ ତଦନ୍ତ କରିବ। ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଗୋଟିଏ ଟିମ୍ ନିୟୋଜିତ ହେବ। ଶର୍ମିଷ୍ଠା ରାଜ୍ୟ ବାହାରେ ଥିବାରୁ ଏକ ଟିମ୍ ବାହାରକୁ ଯିବ। ବର୍ତ୍ତମାନ ତଦନ୍ତ ଜାରି ରହିଥିବାରୁ ସବୁ ତଥ୍ୟ ଦିଆଯାଇ ପାରିବ ନାହିଁ। ତେଣୁ ତଦନ୍ତ ପରେ ଗଣମାଧ୍ୟମକୁ ଅଧିକ ତଥ୍ୟ ଦିଆଯିବ। କ୍ରାଇମ୍ବ୍ରାଞ୍ଚ ଡିସିପିଙ୍କ ନେତୃତ୍ବରେ ତଦନ୍ତ ଚାଲିବ।
ସୂଚନାଯୋଗ୍ୟ, ଫଟୋଗ୍ରାଫର ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ନେଇ ପୁଲିସ ଡିଜି ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଛନ୍ତି। ଶର୍ମିଷ୍ଠାଙ୍କୁ ଧରିବା ସହ ତଦନ୍ତକୁ ଅଗ୍ରଗତି କରାଇବାକୁ କ୍ରାଇମବ୍ରାଞ୍ଚ ପୁଲିସକୁ ସହଯୋଗ କରିବ। ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ୨୦୨୨, ଫେବ୍ରୁଆରି ୧୪ରେ ପରିବାର ତରଫରୁ ଏତଲା ଦିଆଯିବାପରେ ପୁଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା।
ଶର୍ମିଷ୍ଠାଙ୍କ ୱେବ୍ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବେ କାମ କରୁଥିବା ନୟାଗଡ଼ ଜିଲ୍ଲା ରଣପୁର ଥାନା ନୂଆପଲ୍ଲୀ ଗୋଡ଼ିପୋଖରୀ ଗ୍ରାମର ମାନସ ସ୍ବାଇଁ ଫେବ୍ରୁଆରି ୬ ତାରିଖ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁରେ ଏକ ବିବାହ ଉତ୍ସବରେ ଫଟୋଚିତ୍ର ଓ ଭିଡିଓ ଉତ୍ତୋଳନ କରିବାକୁ ଆସିଥିଲେ। ୭ ତାରିଖ ସକାଳେ ମାନସ ଭୁବନେଶ୍ବର ଫେରିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶର୍ମିଷ୍ଠା ଓ ତାଙ୍କର ସହଯୋଗୀ ଝୁନୁଲତା ଭୋଇ, ଖଣ୍ଡଗିରି ଥାନା ବରମୁଣ୍ଡା ଡାଏରି ଫାର୍ମ ବସ୍ତିର ଭାଗ୍ୟଧର ନାୟକ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଧାମଡ଼ା ଗାଁର ବିବେକ ନାୟକ, ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଥାନା ମଙ୍ଗଳାସାହିର କୃଷ୍ଣଚନ୍ଦ୍ର ନାୟକ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣିବନ୍ଧ ଗାଁର ରଞ୍ଜନ ନାୟକ ଏକ ଗାଡ଼ିରେ ଆସି ମାନସଙ୍କୁ ପଳାଶପୁର ଛକରୁ ଉଠାଇ ନେଇଥିଲେ।
ମାନସଙ୍କୁ ଏହି ୫ ଜଣ ଅପହରଣ କରି ଭୁବନେଶ୍ବର ନେବା ବେଳେ ବାଟରେ ମାରଧର କରିବା ସହ ସେହି ଚିପ୍ସ କୋଉଠି ରଖିଛୁ ବୋଲି ପଚାରିଥିଲେ ଶର୍ମିଷ୍ଠା। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ମାନସଙ୍କ ମୋବାଇଲ ଛଡ଼ାଇ ନେଇ ଫିଙ୍ଗି ଦିଆଯାଇଥିଲା। ୭ ତାରିଖରେ ତାଙ୍କୁ ଅପହରଣ କରାଯିବା ପରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା-ଜଟଣୀ ରାସ୍ତାର କଣ୍ଟିଲୋ ‘ଦୟାଲ’ ବୃଦ୍ଧାଶ୍ରମକୁ ଅଣା ଯାଇଥିଲା। ସେଠାରେ ହିଁ ରାତିରେ ତାଙ୍କୁ ନିରଞ୍ଜନ, ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତମାନେ ମିଳି ମିଶି ହତ୍ୟା କରିଥିଲେ। ୮ ତାରିଖ ସକାଳେ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧିପାଟଣା ନିକଟରେ ମୃତଦେହକୁ ପୋତି ଦେଇଥିଲେ। ଚଣ୍ଡିଖୋଲ ଛକରେ ପଡ଼ିଥିବା ମୋବାଇଲକୁ ସେଠାରେ ଜଣେ ଦୋକାନୀ ପାଇବା ପରେ ପୁଲିସକୁ ଦେଇଥିଲେ। ମୋବାଇଲ କଲ୍ ଡିଟେଲ୍ ଆଧାରରେ ତଦନ୍ତ ଆଗକୁ ବଢ଼ିବା ସହ ପୁଲିସ ହାତରେ ଲାଗିଥିଲା ଅନେକ ଗୁରୁତ୍ବପୂର୍ଣ୍ଣ ସୁରାକ। ସେହିଠାରୁ ତଦନ୍ତ ଆଗକୁ ବଢ଼ିଥିଲା

























