ମେଡିସିନ କିଣିବା ବାହାନାରେ ଦୋକାନରୁ ୪୯ ହଜାର ଲୁଟିନେଲେ

0
1439
ଦୋକାନରୁ ୪୯ ହଜାର ଲୁଟିନେଲେ
ଦୋକାନରୁ ୪୯ ହଜାର ଲୁଟିନେଲେ

ଭୁବନେଶ୍ୱର : ସ୍ମାଟ୍ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା । ବିନା ଛୁରୀ ଓ ବନ୍ଧୁକରେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା, ତା’ ପୁଣି ଆଖି ପିଛୁଳାକେ। ଏଥର ଟାର୍ଗେଟ କରିଛନ୍ତି ଏକୁଟିଆ ବସୁଥିବା ମେଡିସିନ ଦୋକାନୀଙ୍କୁ। ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ ଓ ରବି ଟକିଜ୍ ପାଖରେ ଥିବା ଦୁଇଟି ଔଷଧ ଦୋକାନରୁ ଏମିତି ଲୁଟ୍ କରିଛନ୍ତି ଲୁଟେରା।

ଲୁଟ୍‌ର ଶିକାର ହୋଇଥିବା ରବି ଟକିଜ୍ ନିକଟସ୍ଥ ଉକ୍ତ ମେଡିସିନ୍ ଦୋକାନୀ କହିଛନ୍ତି, ପ୍ରଥମେ ଗ୍ରାହକ ବେଶରେ ଜଣେ ଯୁବକ ଆସି ଏକ ବେଟାଡିନ ମାଗିଥିଲେ। ଏଥିନିମନ୍ତେ ୨ ହଜାର ଟଙ୍କା ଦେଇଥିଲେ।  ମାତ୍ର ଖୁଚୁରା ନ ଥିବା କହି ତାଙ୍କୁ ଫେରାଇ ଦେଇଥିଲି। ହେଲେ ଏହାର କିଛି ସମୟ ପରେ ଆଉ ଜଣେ ଯୁବକ ଆସି ୨ଶହ ଟଙ୍କାର ମେଡିସିନ ନେଲେ। ସେ କିଛି ୧୦ ଟଙ୍କିଆ ଦେଇ ସଙ୍ଗେ ସଙ୍ଗେ ପଳାଇଲେ। ୩୦ ଟଙ୍କା କମ୍‌ ଥିବାରୁ ତାଙ୍କ ପଛେ ପଛେ ବାହାରକୁ ଚାଲି ଯାଇଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଆଉ ୨ ଜଣ ଆସି ଆଖି ପିଛୁଳାକେ ଡ୍ର’ରୁ ୩୬ ହଜାର ଟଙ୍କା ନେଇ ପଳାଇଲେ। ଉକ୍ତ ୨ ଜଣଙ୍କ ମଧ୍ୟରେ ବେଟାଡିନ ମାଗିବାକୁ ଆସିଥିବା ଯୁବକ ବି ଥିଲେ। ଲୁଟେରାମାନେ ଓଡ଼ିଆ ଓ ବଙ୍ଗାଳି ଭାଷାରେ କଥା ହେଉଥିଲେ।

ଗତକାଲି ନୟାପଲ୍ଲୀ ଆଇଆର୍‌ସି ଭିଲେଜ୍‌ର ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ଏକ ଔଷଧ ଦୋକାନରୁ ବି ଠିକ୍ ଏମିତି ଢଙ୍ଗରେ ଲୁଟ୍ ହୋଇଥିଲା। କମ୍ ଟଙ୍କା ଦେଇ ହର୍ଲିକ୍ସ ଧରି ଦୌଡ଼ି ପଳାଇଥିଲେ ଜଣେ ଲୁଟେରା। ଦୋକାନୀ ଲୁଟେରା ପଛେ ପଛେ ଧାଇଁଥିଲେ। ଆଉ ପୂର୍ବ ଯୋଜନା ମୁତାବକ, ସେହି ସମୟରେ ଦୋକାନ ଭିତରେ ପଶି କ୍ୟାସ୍ କାଉଣ୍ଟରରୁ ୪୯ ହଜାର ଟଙ୍କା କ୍ୟାସ୍‌ ନେଇ ଚମ୍ପଟ ମାରିଥିଲେ ଆଉ ଦୁଇ ଲୁଟେରା। ରାଜଧାନୀରେ ଦିନ ଦ୍ୱିପ୍ରହରରେ ଏପରି ଲୁଟ୍‌  ଘଟଣା ଘଟୁଥିବା ବେଳେ ଲୁଟେରାଙ୍କ ସନ୍ଧାନ ପାଉନି ପୁଲିସ୍‌। ଉଭୟ ମେଡିସିନ ଦୋକାନରୁ ଅଲଗା ଅଲଗା ଗ୍ୟାଙ୍ଗ ନା ଗୋଟିଏ ଗ୍ୟାଙ୍ଗ ଏପରି ଲୁଟ୍‌ କରିଛନ୍ତି, ତାହାର ତଦନ୍ତ କରୁଛି ପୁଲିସ୍‌।

Also Read  Dolphin Census in Gahirmatha & Bhitarkanika From Today