ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ସଂକ୍ରମଣ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ପାର୍ କରିଛି। ସପ୍ତାହକ ତଳର ସ୍ଥିତିକୁ ଦେଖିଲେ ଆଜି ପାଖାପାଖି ୧୦ ଗୁଣ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ଆକ୍ରାନ୍ତ ହୋଇଛନ୍ତି ୧୮୭ ଜଣ । ଏଥିସହ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ କ୍ୱାରେଣ୍ଟାଇନ୍ରୁ ୭୧୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୦୬ । ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ସୁନ୍ଦରଗଡରୁ୧୬୬, ଷ୍ଟେଟ ପୁଲରୁ୧୧୦, ସମ୍ୱଲପୁରରୁ୯୯, କଟକରୁ ୮୦ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଯାଜପୁରରୁ ୪୭, ମୟୂରଭଞ୍ଜରୁ ୪୦ ଜଣ, ଝାରସୁଗୁଡ଼ାରୁ ୩୩, ପୁରୀରୁ ୩୦, କେନ୍ଦୁଝରରୁ ୨୫, ବରଗଡ଼ରୁ ୨୧, ବଲାଙ୍ଗୀରରୁ ୧୪, ଜଗତସିଂହପୁର ଓ ନବରଙ୍ଗପୁରରୁ ୧୩ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ୯ ଜଣ ଲେଖାଏଁ, ଦେବଗଡ଼ ଓ ରାୟଗଡ଼ାରୁ ୮ ଜଣ ଲେଖାଏଁ, ଅନୁଗୁଳ ଓ ଭଦ୍ରକରୁ ୬ ଜଣ ଲେଖାଏଁ, ଢେଙ୍କାନାଳ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, କୋରାପୁଟ, ନୟାଗଡ଼ ଓ ସୋନପୁରରୁ ୩ ଜଣ ଲେଖାଏ, ନୂଆପଡ଼ା, ବଲେଶ୍ୱରରୁ ୨ ଜଣ ଲେଖାଏଁ, ବୌଦ୍ଧ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ୧୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୭ ହଜାର ୮୭୬ ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୫ ହଜାର ୩୭୬ ଜଣ । ବାକି ୩ ହଜାର ୯୮୧ ଜଣଙ୍କର ଚିକିତ୍ସା ଚାଲିଛି ।
ଦେଶରେ ୬୦ ହଜାର ପାଖରେ ପହଞ୍ଚି ଯାଇଛି ସଂକ୍ରମଣ
ଦେଶରେ ମଧ୍ୟ ମହାମାରୀ କରୋନାର ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ଏହା ୬୦ ହଜାର ପାଖରେ ପହଞ୍ଚି ଯାଇଛି। ଦିନକରେ ୫୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣ ଏହି ପ୍ରାଣଘାତୀ ଭାଇରସ ପଞ୍ଝାରେ ପଡ଼ି ଜୀବନ ହରାଇଛନ୍ତି।
ସେହିପରି ଦେଶରେ ଦୈନିକ ପଜିଟିଭିଟି ରେଟ୍ ମଧ୍ୟ ୪.୧୮%କୁ ବୃଦ୍ଧି ପାଇଛି। ଦୀର୍ଘଦିନ ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି। ଦେଶରେ ଟିକାକରଣ ଠାରୁ ଆରମ୍ଭ କରି କଟକଣାକୁ କଡ଼ାକଡ଼ି କରାଯାଉଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ବିଶେଷ କରି ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କ ନିଦ ହଜିଗଲାଣି। ଦିନକରେ ସମଗ୍ର ଦେଶରୁ ଆଉ ୨୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଓମିକ୍ରନ ଜିନତ ସଂକ୍ରମିତଙ୍କ ସଂଖ୍ୟା ୨୧୩୫ରେ ପହଞ୍ଚିଛି।