ଶ୍ବଶୁର ଘରେ ଜ୍ୱାଇଁର ଉତ୍ପାତ, ପୁଲିସ ଉପସ୍ଥିତିରେ ଆକ୍ରମଣ, ୪ ପଡ଼ୋଶୀ ରକ୍ତାକ୍ତ

0
4820

ଟାଙ୍ଗୀ: ସ୍ତ୍ରୀଙ୍କୁ ନେବାପାଇଁ ଆସିଥିବା ଜଣେ ବ୍ୟକ୍ତି ନିଜ ଶ୍ବଶୁରଘରେ ମାଡପିଟ୍ ଓ ଭଙ୍ଗାରୁଜା କରିଛନ୍ତି। ତାଙ୍କ ଆକ୍ରମଣରେ ଶ୍ବଶୁରଘରର ୪ଜଣ ପଡ଼ୋଶୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତ କେଶରପୁର ଗ୍ରାମରେ। ଖବର ମୁତାବକ, କେଶରପୁର ଗ୍ରାମର ପରମାନନ୍ଦ ମଲ୍ଲିକଙ୍କ ଘରେ ମଙ୍ଗଳବାର ଅପରାହ୍ନରେ ତାଙ୍କ ଜ୍ୱାଇଁ କେଦାର ମଲ୍ଲିକ(୨୭) ପହଞ୍ଚିଥିଲେ। ନିଜ ପତ୍ନୀଙ୍କୁ ନେବା ପାଇଁ ଆସିଥିବା କେଦାର କୌଣସି କାରଣକୁ ନେଇ ଶ୍ବଶୁରଘରେ ମାଡ଼ପିଟ୍ ଓ ଭଙ୍ଗାରୁଜା କରିଥିଲେ। ଭୟରେ ଶ୍ବଶୁର ପରମାନନ୍ଦ ଘରୁ ବାହାରକୁ ପଳାଇ ଆସି ପଡ଼ୋଶୀମାନଙ୍କୁ ଏହା ଜଣାଇଥିଲେ। ବୁଝାସୁଝା କରିବାକୁ ଆସିଥିବା ପଡ଼ୋଶୀ ଗୋଲଖ ମଲ୍ଲିକ, ତ୍ରିନାଥ ବେହେରାଙ୍କୁ କେଦାର କାଚବୋତଲ ଭାଙ୍ଗି ଆକ୍ରମଣ କରିଥିଲେ। ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ କେଦାର ଘର ଭିତରେ ପଶିଯାଇ ବାହାରକୁ କାଚବୋତଲ ଓ ଟେକାମାଡ଼ କରିଥିଲେ।

ପୁଲିସ ଉପସ୍ଥିତିରେ କେଦାରଙ୍କୁ ବୁଝାଇବାକୁ ଯାଇଥିବା ଗ୍ରାମର ଦୁଇ ମୁରବି ରବୀନ୍ଦ୍ର କୁମାର ମହାପାତ୍ର, ନିବାସ ଚନ୍ଦ୍ର ବଳଙ୍କୁ କେଦାର ଶାବଳରେ ଆକ୍ରମଣ କରିଥିଲେ। ରବୀନ୍ଦ୍ରଙ୍କ ହାତ ଓ ନିବାସଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ଉଭୟ ରକ୍ତାକ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଥିବା ରବୀନ୍ଦ୍ର ଓ ନିବାସଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିବା ବେଳେ ପୁଲିସ୍ ଘଟଣାସ୍ଥଳରୁ କେଦାରଙ୍କୁ ଥାନାକୁ ଉଠାଇ ଆଣିଛି। କେଦାର ଜଗତପୁର ଥାନା ଆତୋଡା ଗ୍ରାମର ସନାତନ ମଲ୍ଲିକଙ୍କ ପୁଅ। ସେ କେଶରପୁର ଗ୍ରାମର ପରମାନନ୍ଦ ମଲ୍ଲିକଙ୍କ ଝିଅ ଗେହ୍ଲିଙ୍କୁ ବିବାହ କରିଛନ୍ତି। ତେବେ, ଗେହ୍ଲି ବାପଘରେ ଦୀର୍ଘଦିନ ହେବ ରହୁଥିଲେ। ସେ ଗେହ୍ଲିଙ୍କୁ ନେବା ପାଇଁ ଆସି ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି।

Also Read  ୧୦ରୁ ସମସ୍ତ ମହାବିଦ୍ୟାଳୟ ଓ ବିିଶ୍ବବିଦ୍ୟାଳୟ ବନ୍ଦ

LEAVE A REPLY

Please enter your comment!
Please enter your name here